Categories: ମେଟ୍ରୋ

ଓୟୁଏଟି ସମାବର୍ତ୍ତନ ଉତ୍ସବ: ୧୧୪ଜଣଙ୍କୁ ସ୍ବର୍ଣ୍ଣ, ଅଂଶୁମାନ୍‌ଙ୍କୁ ଡିଏସ୍‌ସି ଉପାଧି

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଉତ୍ପାଦନ ପରେ ଖାଦ୍ୟଶସ୍ୟ ନଷ୍ଟ ହେବା କୃଷି କ୍ଷେତ୍ରରେ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ଭାରତର ବିଭିନ୍ନ କ୍ଷେତ୍ରରେ ପ୍ରାୟ ୮୨ କୋଟି ଟନ୍‌ ଖାଦ୍ୟ ଉତ୍ପାଦନ ହେଉଛି। ସେଥିମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ନଷ୍ଟ ହୋଇଯାଉଛି। ତେଣୁ ଏହାର ମୁକାବିଲା ନିମନ୍ତେ ଖାଦ୍ୟଦ୍ରବ୍ୟ ସଂରକ୍ଷଣ, ପ୍ରକ୍ରିୟାକରଣ ଏବଂ ଖାଦ୍ୟକୁ ମୂଲ୍ୟଯୁକ୍ତ କରିବାକୁ ପଡ଼ିବ ବୋଲି ଇମ୍ଫାଲସ୍ଥିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଏସ୍‌. ଆୟାପ୍ପାନ କହିଛନ୍ତି।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ୩୮ତମ ସମାବର୍ତ୍ତନ ଉତ୍ସବରେ ପ୍ରଫେସର ଆୟାପ୍ପାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି କହିଲେ, କୃଷିକ୍ଷେତ୍ର ସହିତ ପ୍ରାଣୀସମ୍ପଦ ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ବର୍ତ୍ତମାନ ପରିବର୍ତ୍ତିତ ପାଣିପାଗକୁ ଦେଖି ଚାଷ କରିବାକୁ ପଡ଼ିବ ବୋଲି କହିଥିଲେ। ଶିକ୍ଷା ସମାପ୍ତି ପରେ ଗ୍ରାମାଞ୍ଚଳକୁ ଯାଇ କୃଷକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ନିମନ୍ତେ ଆୟାପ୍ପାନ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇଥିଲେ। ଉତ୍ସବରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଆଧ୍ୟାତ୍ମିକ ଭାବର ବିକାଶ ପାଇଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ତ୍ୟାଗ ଭାବ ଓ ଅନ୍ୟର ଉପକାର କରିବା ଦ୍ୱାରା ଜୀବନ ସରସ ସୁନ୍ଦର ହୋଇପାରିବ ବୋଲି ରାଜ୍ୟପାଳ କହିଛନ୍ତି।

ବିଶ୍ୱବିଦ୍ୟାଳୟ କୁଳପତି ଡ. ପୱନ କୁମାର ଅଗ୍ରୱାଲ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଗତବର୍ଷ ବିଶ୍ୱବିଦ୍ୟାଳୟ ତରଫରୁ ସଙ୍କର କିସମ ମକା କଳିଙ୍ଗରାଜ ଏବଂ କପାର ଉନ୍ନତ କିସମ ବିଏସ୍‌ ୨୭୯ ବିକଶିତ ହେବା ସହିତ ଅନେକ ଜ୍ଞାନକୌଶଳ ଉଦ୍ଭାବନ କରାଯାଇଥିବା ସେ ପ୍ରକାଶ କରିଥିଲେ। ଏହି ଅବସରରେ ନାଲ୍‌କୋର ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଇଞ୍ଜିନିୟର ଅଂଶୁମାନ ଦାସଙ୍କୁ ସମ୍ମାନସୂଚକ ଡିଏସ୍‌ସି ଉପାଧି ଓ ୧୧୪ ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ଏହାଛଡ଼ା ୭୪୦ ଜଣଙ୍କୁ ସ୍ନାତକ, ୪୮୨ ଜଣଙ୍କୁ ସ୍ନାତକୋତ୍ତର ଏବଂ ୩୦ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଛି।

Share