Categories: ବାଣିଜ୍ୟ

ଔଷଧପତ୍ର ଯୋଗାଣ ଲାଗି କାର୍ଗୋ ବିମାନକୁ ଅନୁମତି

ନୂଆଦିଲ୍ଲୀ,୩୧। ୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ଅଞ୍ଚଳକୁ ଔଷଧପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପହଞ୍ଚାଇବା ଲାଗି କାର୍ଗୋ ବିମାନ ଚଳାଚଳକୁ ସରକାର ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ସହ ପରାମର୍ଶକ୍ରମେ ଦେଶର ବିଭିନ୍ନ ଅଞ୍ଚଳକୁ ବିମାନ ଦ୍ୱାରା ଔଷଧପତ୍ର, ଡାକ୍ତରୀ ଉପକରଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସାମଗ୍ରୀ ଯୋଗାଣକାରୀ ସଂସ୍ଥା ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା ଜରୁରୀ ଭିତ୍ତିରେ ଏସବୁ ଜିନିଷ ଯୋଗାଇଦେବାର ବ୍ୟବସ୍ଥା କରିବେ। ମାର୍ଚ୍ଚ ୨୯ରୁ ଆଲାଏନ୍ସ ଏୟାର ବିମାନ ଯୋଗେ ଦିଲ୍ଲୀରୁ କୋଲକାତା,ଗୁଆହାଟୀ, ଦିବ୍ରୁଗଡ ଏବଂ ଅଗରତାଲାକୁ ସାମଗ୍ରୀ ପରିବହନ ଆରମ୍ଭ ହୋଇଛି। ଉତ୍ତରାଞ୍ଚଳ ପାଇଁ ଭାରତୀୟ ବାୟୁସେନା ବିମାନ ସହ ଦେଶର ଅନ୍ୟ ପ୍ରାନ୍ତଗୁଡ଼ିକୁ ମଧ୍ୟ ସାମଗ୍ରୀ ଯୋଗାଣ ନେଇ ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି।

Share