ଔଷଧ ଖାଉଥିଲେ…

କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନ ନେଇ ମନଇଚ୍ଛା ଔଷଧ ଖାଇବା ଅଭ୍ୟାସ ଅନେକଙ୍କର ରହିଛି। ତେବେ ଏପରି କରିବା ଦ୍ୱାରା ଯଦିଓ କିଛି ସମୟ ପାଇଁ ଉକ୍ତ ସମସ୍ୟାରୁ ଉପଶମ ମିଳିଥାଏ ହେଲେ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ଆସନ୍ତୁ, ଜାଣିବା ଏ ସମ୍ପର୍କରେ…

ପେଟ ଯନ୍ତ୍ରଣା: ପେଟରେ ସାମାନ୍ୟ ଯନ୍ତ୍ରଣା ହେବା ମାତ୍ରେ ସାଧାରଣତଃ ଅନେକେ ଏସିଡିଟି କିମ୍ବା ଗ୍ୟାସ୍‌ ହୋଇଛି ଭାବି ଆଣ୍ଟାସିଡ୍‌ ଖାଇଦିଅନ୍ତି। କେବେ କେବେ ଆବଶ୍ୟକତା ଥିଲେ ଏହାକୁ ଖାଇବା ଲାଭଦାୟକ। ହେଲେ ପେଟ ଯନ୍ତ୍ରଣାର ଠିକ୍‌ କାରଣ ନ ଜାଣି ସବୁବେଳେ ଆଣ୍ଟାସିଡ୍‌ ଖାଇବା ଦ୍ୱାରା ଏହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଫଳରେ ଖାଦ୍ୟ ଭଲ ଭାବେ ହଜମ ହୁଏ ନାହିଁ ଏବଂ ଶରୀରକୁ ଆବଶ୍ୟକ ମାତ୍ରାରେ ପୋଷକ ତତ୍ତ୍ୱ ମିଳିପାରେନାହିଁ। କେବଳ ଏତିକି ନୁହେଁ, ଏହା ମଧ୍ୟ କିଡ୍‌ନୀ ଷ୍ଟୋନ୍‌, ଅର୍ଶ, ପେପ୍ଟିକ୍‌ ଅଲ୍‌ସର ଆଦିର ଆଶଙ୍କା ବୃଦ୍ଧି କରିଥାଏ।
ମୁଣ୍ଡବିନ୍ଧା: ବିଭିନ୍ନ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ। ହେଲେ ଅନେକେ ଏହା ବୁଝିବାକୁ ଆଦୌ ପ୍ରସ୍ତୁତ ନୁହେଁ। ସେମାନେ ମୁଣ୍ଡ ବିନ୍ଧିବା ମାତ୍ରେ ପେନ୍‌କିଲର ଖାଇବାକୁ ପଛାଉନାହାନ୍ତି। ଡାକ୍ତରଙ୍କ ବିନା ପରାମର୍ଶରେ ବାରମ୍ବାର ଏହି ମେଡିସିନ ଖାଇବା ଦ୍ୱାରା ଅଧିକ ନିଦ ଲାଗିବା କିମ୍ବା ଆଦୌ ନିଦ ନ ହେବା, ଦୁର୍ବଳତା, ମତିଭ୍ରମ, ଓଜନବୃଦ୍ଧି, ଭୋକ ନ ଲାଗିବା, କୋଷ୍ଟକାଠିନ୍ୟ ଭଳି ଅନେକ ସମସ୍ୟା ଦେଖାଦେଇଥାଏ।
ଅନିଦ୍ରା: ବର୍ତ୍ତମାନର କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଅନେକଙ୍କଠାରେ ରାତିରେ ନିଦ ନ ଆସିବା କିମ୍ବା ଅଧିକ ରାତିରେ ନିଦ ଆସିବା ଭଳି ସମସ୍ୟା ଦେଖାଦେଉଛି। ଏହାକୁ ଦୂରକରିବା ଲାଗି କେହି କେହି ନିଦ ଔଷଧ ଖାଉଛନ୍ତି। ହେଲେ ଏହାକୁ ଅଧିକ ଖାଇବା ଦ୍ୱାରା ମଣିଷର ପ୍ରାକୃତିକ ଦିନଚର୍ଯ୍ୟା ବାଧାପ୍ରାପ୍ତ ହୋଇଥାଏ ଏବଂ ନିଦ ପାଇଁ ଔଷଧ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏମିତିକି ଏହାଦ୍ୱାରା ଡିପ୍ରେଶନ ରୋଗ ହେବା ଆଶଙ୍କା ବି ବଢ଼ିଥାଏ।
ଥଣ୍ଡା: ପାଣିପାଗ ପରିବର୍ତ୍ତନ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ପ୍ରାୟ ଅଧିକାଂଶଙ୍କୁ ଥଣ୍ଡା, କଫ, କାଶ ଭଳି ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। ଯେଉଁଥିରୁ ରକ୍ଷା ପାଇବା ଲାଗି ସେମାନେ ଔଷଧ ଉପରେ ନିର୍ଭର କରିଥାନ୍ତି। ହେଲେ ଆପଣ ଜାଣନ୍ତି କି, ଡାକ୍ତରଙ୍କ ପରାମର୍ଶ ବିନା ଏଭଳି ମେଡିସିନ ଖାଇବା ଦ୍ୱାରା ବେଳେ ବେଳେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଆଶଙ୍କା ରହିଛି। ତା’ଛଡ଼ା ଠିକ୍‌ ରୋଗ ପାଇଁ ଠିକ୍‌ ଔଷଧ ନ ଖାଇବା କିମ୍ବା ଆବଶ୍ୟକତାରୁ ଅଧିକ ମେଡିସିନ ଖାଇବା ଦ୍ୱାରା ଦୁର୍ବଳତା, ନିଦ୍ରାହୀନତା, ମୁଣ୍ଡବିନ୍ଧା, ନାକ, ପାଟି ତଣ୍ଟି ଶୁଖିବା ଭଳି ସମସ୍ୟା ଦେଖାଦେଇଥାଏ।