Categories: ଫୁରସତ

ଔଷଧ ନୁହେଁ ଦେହରେ ନିଆଁ ଲଗାଇ କରାଯାଏ ରୋଗର ଚିକିତ୍ସା

ଔଷଧ ତଥା ଚେରମୂଳି ଦ୍ୱାରା ରୋଗର ଚିକିତ୍ସା କରାଯାଉଥିବା ସମସ୍ତେ ଜାଣନ୍ତି। ହେଲେ ଦେହରେ ନିଆଁ ଲଗାଇ ରୋଗର ଚିକିତ୍ସା କରାଯାଉଥିବା ବିଷୟରେ କେବେ ଶୁଣିଛନ୍ତି? ହୁଏତ ନା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଚୀନ୍‌ରେ ୧୦୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଏହି ପଦ୍ଧତିରେ ଚିକିତ୍ସା କରାଯାଉଛି। ଏହାକୁ ‘ଫାୟାର ଥେରାପୀ’ ବା ‘ଅଗ୍ନୀ ଚିକିତ୍ସା’ ବୋଲି କୁହାଯାଏ। ଏହି ଥେରାପୀ ଦ୍ୱାରା ଚିନ୍ତା, ଅବସାଦ, ବଦହଜମୀ, ବାଞ୍ଝପଣଠାରୁ ଆରମ୍ଭକରି କ୍ୟାନ୍ସର ପର୍ଯ୍ୟନ୍ତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ବିଶେଷକରି ବଡ଼ ତଥା ଦୁରାରୋଗ୍ୟ ରୋଗ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ। ଏଥିପାଇଁ ଫାୟାର ଥେରାପୀକୁ ଉପଯୁକ୍ତ ଏବଂ ଶସ୍ତା ବୋଲି କୁହାଯାଏ। ଚୀନ୍‌ରେ ଅନେକ ବଡ଼ ରୋଗରୁ ମୁକ୍ତି ପାଇଁ ଏହି ଥେରାପୀ ବ୍ୟବହାର ହୋଇଥାଏ।
ଏହି ପଦ୍ଧତିରେ ଲୋକଙ୍କ ଉପଚାର କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଝାଙ୍ଗ ଫାଙ୍ଗ ବେଶ୍‌ ଲୋକପ୍ରିୟ। ଝାଙ୍ଗଙ୍କ କହିବା ଅନୁସାରେ ଫାୟାର ଥେରାପୀ ମାନବ ଇତିହାସରେ ୪ର୍ଥ ବଡ କ୍ରାନ୍ତି। ସେ ବେଜିଂର ଏକ ଛୋଟ ଆପାର୍ଟମେଣ୍ଟରେ ଉପରୋକ୍ତ ରୋଗର ଚିକିତ୍ସା କରିଥାନ୍ତି। ଏକ ଓ୍ବେବ୍‌ସାଇଟ୍‌ ଅନୁସାରେ, ପ୍ରଥମେ ରୋଗୀ ପିଠିରେ ଚେରମୂଳିରେ ପ୍ରସ୍ତୁତ ଏକ ଲେପ ଲଗାଯାଇ ତାହାକୁ ଏକ ଚାଦରରେ ଘୋଡ଼ାଇ ଦିଆଯାଏ। ଏହା ଉପରେ ପାଣି ଏବଂ ମଦ ଛିଞ୍ଚି ନିଆଁ ଲଗାଯାଏ। ଏହିପରି ରୋଗର ଚିକତ୍ସା ହୋଇଥାଏ। ଏହା ଦ୍ୱାରା ଶରୀରର ଉପରସ୍ତରକୁ ଗରମକରି ଭିତରୁ ଥଣ୍ଡାକୁ ଦୂର କରାଯାଇଥାଏ। ତେବେ ଏହି ଥେରାପୀ ନେଉଥିବା ବ୍ୟକ୍ତିଙ୍କ ନିକଟରେ ଏଥିପାଇଁ ସାର୍ଟିଫିକେଟ ଥିବା ଆବଶ୍ୟକ ହୋଇଥାଏ।

Share