ଔଷଧ ବିତରକଙ୍କୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ହସ୍ପିଟାଲଗୁଡିକୁ ଔଷଧ ଏବଂ ମେଡିକାଲ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଔଷଧ ଯୋଗାଇଲେ ବିତରକ ସଂସ୍ଥାମାନଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ସରକାର ଘୋଷଣା କରିଥିବା ବୁଧବାର କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ସେ କହିଛନ୍ତି, ସପ୍ତାହକ ମଧ୍ୟରେ ଯୋଗାଣ ପାଇଁ ୫୦ ପ୍ରତିଶତ ଅଧିକ ଅର୍ଥ ଦିଆଯିବ। ସେହିପରି ୧୫ଦିନ ମଧ୍ୟରେ ଯୋଗାଣ ପାଇଁ ୨୫ ପ୍ରତିଶତ ଓ ମାସକ ମଧ୍ୟରେ ଯୋଗାଣ ପାଇଁ ୧୦ ପ୍ରତିଶତ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଅନୁରୂପ ଭାବେ ଉପକରଣ ବାବଦରେ ସମସ୍ତ ପରିବହନ ଖର୍ଚ୍ଚ ଓ ପ୍ରାପ୍ୟ ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ। କରୋନା ମୁକାବିଲା ପାଇଁ ବିଭିନ୍ନ ମେଡିକାଲରେ ଔଷଧ ମହଜୁଦ ଉପରେ ଗୁରୁତ୍ୱ ଦିଆଯାଉଛି। ଡାକ୍ତରମାନେ ଅହରହ ମେଡିକାଲରେ ସେବା ଯୋଗାଇ ଆସୁଛନ୍ତି। ଆଉ ଏଭଳି ସ୍ଥିତିରେ ମେଡିକାଲରେ ଔଷଧ ଯୋଗାଣ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବା ପାଇଁ ବିତରକମାନଙ୍କୁ ପୁରସ୍କାର ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବାଗ୍‌ଚୀ କହିଛନ୍ତି। ଓଡ଼ିଶାର ଶିଳ୍ପୋଦ୍ୟୋଗଗୁଡ଼ିକୁ ଆବଶ୍ୟକ ମେଡିକାଲ ଉପକରଣ ଯଥା ପୋର୍ଟେବୁଲ୍‌ ଭେଣ୍ଟିଲେଟର, ମାସ୍କ ଏବଂ ସାନିଟାଇଜର ଇତ୍ୟାଦି ପ୍ରଦାନ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍‌ ଫାର୍ମର୍ସ ଫଟିଲାଇଜର କୋପରେଟିଭ୍‌ (ଇଫ୍‌କୋ) ଏ ଦିଗରେ ପ୍ରଥମେ ପଦକ୍ଷେପ ନେଇ ଆବଶ୍ୟକ ମେଡିକାଲ ଉପକରଣ ଯୋଗାଇଛନ୍ତି ବୋଲି ବାଗ୍‌ଚୀ ସୂଚନା ଦେଇଛନ୍ତି।

Share