ଔଷଧ-ଭେଣ୍ଟିଲେଟରର ଅଭାବ: କରୋନା ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ଦେବାରେ ଅସମର୍ଥ ଡାକ୍ତର !

ପ୍ୟାରିସ୍‌,୬।୪: କରୋନା ସଂକ୍ରମଣର ମୁକାବିଲା ପାଇଁ ଫ୍ରାନ୍ସ୍‌ରେ ଯନ୍ତ୍ରଣା ଉପଶମକାରୀ ଔଷଧ ଏବଂ ଭେଣ୍ଟିଲେଟରର ଅଭାବ ଦେଖାଦେଇଛି। ଫଳରେ ଡାକ୍ତରମାନେ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାରେ ଅସମର୍ଥ ହେଉଥିବା କହିଛନ୍ତି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲକୁ ଚିକିତ୍ସା ଲାଗି ଆସୁଥିବା ଲୋକଙ୍କ ମଧ୍ୟରୁ କାହାକୁ ଆଇସିୟୁରେ ରଖାଯିବ ସେନେଇ ଡାକ୍ତରଙ୍କୁ ଚିନ୍ତା କରିବାକୁ ପଡୁଛି। ଯେଉଁମାନଙ୍କର ବଞ୍ଚିବାର ଆଶା ଅଧିକ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଉଛି। ମାତ୍ର ଏହା ଡାକ୍ତର ପେଶା ଉପଯୋଗୀ ନୁହେଁ ବୋଲି ଫ୍ରାନ୍ସିସ୍‌ ପେଲେଟିଭ୍‌ କେୟାର ସୋସାଇଟିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ରେଜିସ ଆବ୍ରି କହିଛନ୍ତି । ପରିବାର ସଦସ୍ୟଙ୍କ ବିନା ହସ୍ପିଟାଲରେ ଜୀବନ ମୃତ୍ୟୁ ସହିତ ଲଢ଼େଇ କରୁଥିବା ସଂକ୍ରମିତଙ୍କ ପ୍ରତି ଉପଯୁକ୍ତ ନ୍ୟାୟ କରାଯାଇପାରୁ ନାହିଁ। ଏଭଳି ସ୍ଥିତି ଜଣେ ମଣିଷ ପାଇଁ କେବେ ମଧ୍ୟ ସହ୍ୟ ହେବ ନାହିଁ। ଦେଶରେ ମିଡ଼ଜୋଲମ୍‌ ଔଷଧ ଏବଂ ଅଫିମର ଅଭାବ ଯୋଗୁ ଶେଷ ସମୟରେ ମଧ୍ୟ ଗୁରୁତର ସଂକ୍ରମିତଙ୍କୁ ଶାନ୍ତି ମୃତ୍ୟୁ ମିଳିପାରୁନି। ଏହାର ଉପଯୋଗ ସାଧାରଣତଃ ଯନ୍ତ୍ରଣା ଉପଶମ ଭାବେ ବ୍ୟବହୃତ ହୋଇଥାଏ ବୋଲି ଡାକ୍ତର ବର୍ନାଡ ଡେବଲୋଇସ୍‌ କହିଛନ୍ତି। ଡାକ୍ତରଙ୍କ ସମ୍ମୁଖରେ ଗୁରୁତର ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ସମ୍ଭବ ହୋଇପାରୁ ନ ଥିବା ଫ୍ରାନ୍ସିସ୍‌ ଜେରୋଟ୍ନୋଲୋଜି ଏବଂ ଜେରିୟାଟ୍ରିକ୍ସ୍‌ ସୋସାଇଟିର ଅଧ୍ୟ ପ୍ରଫେସର ଓଲିବିୟର ଗୁଏରି ସୂଚନା ଦେଇଛନ୍ତି।

Share