Categories: ଜାତୀୟ

କଂଗ୍ରେସକୁ ଆୟକର ବିଭାଗର ନୋଟିସ: ହଓ୍ବାଲା ଦ୍ୱାରା ୧୭୦କୋଟି ପାଣ୍ଠି ସଂଗ୍ରହ ଅଭିଯୋଗ

ନୂଆଦିଲ୍ଲୀ,୩।୧୨: ଦେଶର ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସ(ଆଇଏନ୍‌ସି)କୁ ଆୟକର ବିଭାଗ ପକ୍ଷରୁ ନୋଟିସ କରାଯାଇଛି। ରାଜନୈତିକ ଚାନ୍ଦାକୁ ନେଇ କଂଗ୍ରେସକୁ ଡିସେମ୍ବର ୨ରେ ଏହି ନୋଟିସ କରାଯାଇଛି। ହାଇଦ୍ରାବାଦର ଇମ୍ଫ୍ରାଷ୍ଟକ୍‌ଚର କମ୍ପାନୀ ସହ ସଂପୃକ୍ତ ଥିବା ନେଣଦେଣକୁ ନେଇ କଂଗ୍ରେସକୁ ଏହି ନୋଟିସ କରାଯାଇଥିବା ଜଣାପଡ଼ିଛି। ହାଇଦ୍ରାବାଦର ଏହି କମ୍ପାନୀ ଦ୍ୱାରା ପଠାଯାଇଥିବା ଟଙ୍କାର ହିସାବ କାହିଁକି ଦିଆଯିବ ନାହିଁ ତା’ର କାରଣ ଦର୍ଶାଇବା ପାଇଁ ଏଥିରେ ଉଲ୍ଲେଖ କରାଯାଇଛି। ହେଲେ ଏବେ ପର୍ଯ୍ୟନ୍ତ କଂଗ୍ରେସ ଦଳ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଆସି ନାହିଁ। ଏହା ପୂର୍ବରୁ ନଭେମ୍ବର ୪ରେ ଏହି ମାମଲାରେ ନୋଟିସ ଦିଆଯାଇଥିଲା। କିନ୍ତୁ କଂଗ୍ରେସ ପକ୍ଷରୁ ଆୟକର ବିଭାଗରେ କେହି ହାଜର ହୋଇ ନ ଥିଲେ। ସୂଚନାଯୋଗ୍ୟ, ନିକଟରେ ଆୟକର ବିଭାଗ ପକ୍ଷରୁ ଏହି କମ୍ପାନୀ ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଜଣାପଡ଼ିଥିଲା ଯେ, ଏହି କମ୍ପାନୀ ହଓ୍ବାଲା ଦ୍ୱାରା କଂଗ୍ରେସକୁ ୧୭୦ କୋଟି ଟଙ୍କା ଦେଇଛି। ଏହାପରେ ଏନେଇ ବିଭାଗ ଯାଞ୍ଚ କରୁଥିବା ଜଣାପଡ଼ିଛି।

Share