ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ନବରଙ୍ଗପୁର ବନ୍ଦ ପାଳନ ବେଳେ କଂଗ୍ରେସ ନେତା ପ୍ରଦୀପ ମାଝି ଦେଇଥିବା ବୟାନକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ଭାଜପା। ଶୁକ୍ରବାର ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଅହିଂସା ନାରା ଦେଉଥିବା କଂଗ୍ରେସ ହିଂସାର ରାସ୍ତା ବାଛିଛି। ଯେଉଁ ଦଳର ଆଦର୍ଶ ମହାତ୍ମା ଗାନ୍ଧୀ, ସେ ସୁଭାଷ ବୋଷଙ୍କ ନାଁ ନେଉଛି। ସୁଭାଷ ବୋଷ କେବେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ କହି ନ ଥିଲେ। ଏଥିରୁ ଜଣାପଡ଼ୁଛି ସିଏଏ ବିରୋଧୀ ହିଂସା ଦିଲ୍ଲୀ କଂଗ୍ରେସର ପ୍ରେରିତ ନିର୍ଦ୍ଦେଶ। କଂଗ୍ରେସ ନିରାଶ ହୋଇ ଶେଷରେ ହିଂସାର ବାଟ ବାଛି ନେଇଛି। ଭାଜପା ଏହାକୁ ନିନ୍ଦା କରୁଛି ବୋଲି ଗୋଲକ କହିଛନ୍ତି।
ସୂଚନାଯୋଗ୍ୟ, କୋଷାଗୁମୁଡ଼ା ବ୍ଲକ ବାମୁଣି ପଞ୍ଚାୟତରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହି ସମୟରେ ଶାନ୍ତିପୂର୍ଣ୍ଣ ଭାବେ ନ୍ୟାୟ ନ ମିଳିଲେ ଏହାକୁ ଛଡ଼ାଇନେବୁ। ଗାନ୍ଧୀଙ୍କୁ ଛାଡ଼ି ସୁଭାଷ ବୋଷଙ୍କ ନୀତି ଆପଣାଇବୁ ବୋଲି ମନ୍ତବ୍ୟ ଦେଇଥିଲେ ପ୍ରଦୀପ। ଏହାକୁ ନେଇ ରାଜନୀତି ତେଜିବା ସହ ବିଭିନ୍ନ ମହଲରୁ ଏଭଳି ବୟାନକୁ ନିନ୍ଦା କରାଯାଇଥିଲା। ତେବେ ଏହି ଘଟଣାରେ ଶୁକ୍ରବାର ନବରଙ୍ଗପୁର ଟାଉନ ଥାନା ପୋଲିସ ପ୍ରଦୀପଙ୍କୁ ମିଶାଇ ୧୫ଜଣଙ୍କ ନାମରେ ଏତଲା କରିଛି।