କଂଗ୍ରେସକୁ ହରାଇ ୨ୟ ଥର ବିଧାୟକ ହେଲେ ଭାଗୀରଥି

ହାଟଡିହୀ, ୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଚଳିତ ବର୍ଷ ବିଧାୟକ ପଦ ପାଇଁ ହୋଇଥିଲା ଜୋରଦାର ଟକ୍କର। ବିଜେଡିର ଭାଗୀରଥି ସେଠୀ, କଂଗ୍ରେସର ଜୟଦେବ ଜେନା ଓ ଭାଜପାର ଆଲୋକ ସେଠୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ମୋଟ ୮ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ। ଶେଷରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ବିଜେଡି ପ୍ରାର୍ଥୀ ଭାଗୀରଥି ସେଠୀ ୪୪୧୯୩ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା ମୋଟ ୪୫୬୫୭ ଖଣ୍ଡ ଭୋଟ ପାଇଛନ୍ତି। ଭାଜପା ପ୍ରାର୍ଥୀ ଆଲୋକ ସେଠୀ ୩୧୫୫୪ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଭାଗୀରଥି ସେଠୀଙ୍କୁ ସର୍ବାଧିକ ୮୯୮୫୦ଖଣ୍ଡ ଭୋଟ ମିଳିଛି, ନୋଟାରେ ୧୦୨୯ ଖଣ୍ଡ ଭୋଟ ପଡ଼ିଛି। ହିନ୍ଦୁସ୍ତାନ ନିର୍ମାଣ ଦଳ ୬୮୫ ଖଣ୍ଡ ଭୋଟ ପାଇଥିବା ବେଳେ ଏସ୍‌ୟୁସିଆଇ ୪୧୯, ଅଲ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକ୍‌କୁ ୩୬୨, ବହୁଜନ ମୁକ୍ତି ପାର୍ଟି ୩୮୭ ଓ ସ୍ବାଧୀନ ପ୍ରାର୍ଥୀ ବାସୁଦେବ ଜେନା ୪୮୬ ଖଣ୍ଡ ଭୋଟ ପାଇଛନ୍ତି। ମୋଟ ଭୋଟ ସଂଖ୍ୟା ୧୭୦୪୨୯ ରହିଥିବା ବେଳେ ପୋଷ୍ଟାଲ ଭୋଟ ସଂଖ୍ୟା ୫୧୫। ସେହିପରି ଇଭିଏମ୍‌ ଭୋଟ ସଂଖ୍ୟା ୧୬୯୯୧୪। ଯଦି ୨୦୧୪ ନିର୍ବାଚନ ଫଳାଫଳକୁ ଦେଖାଯିବ ତେବେ ବିଜେଡିର ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହୋଇଥିବା ସ୍ପଷ୍ଟ ହୋଇଛି।ଏଥିସହ ଭାଜପାର ସ୍ଥିତି ମଧ୍ୟ ପୂର୍ବ ନିର୍ବାଚନ ଫଳାଫଳ ତୁଳନାରେ ବୃଦ୍ଧି ପାଇଛି।
ବିଧାୟକ ସେଠୀ କହିଛନ୍ତି, ଆଗାମୀ ଦିନରେ ସେ ଲୋକଙ୍କର ଏବଂ ଅଞ୍ଚଳର ସମସ୍ୟାକୁ ଗୁରୁତ୍ୱ ଦେଇ ସେସବୁର ସମାଧାନ ପାଇଁ ପଦକ୍ଷେପ ନେବେ। ସେଠୀଙ୍କ ବିଜୟ ପରେ ବିଭିନ୍ନ ପଞ୍ଚାୟତରେ ଖୁସିର ଲହରୀ ଖେଳିଥିବା ବେଳେ ଶୋଭାଯାତ୍ରାକରି କର୍ମୀ ମାନେ ଖୁସି ମନାଉଛନ୍ତି।  ଆନନ୍ଦପୁର ପ୍ରେସ୍‌ କ୍ଲବ ସଭାପତି ଗୋପାଳକୃଷ୍ଣ ରାଉତ ଏବଂ ଅନ୍ୟ ସଦସ୍ୟମାନେ ନବନିର୍ବାଚିତ ବିଧାୟକ ସେଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।