କଂଗ୍ରେସକୁ ହରାଇ ଦ୍ୱିତୀୟ ଥର ପାଇଁ ବସ୍ତାରେ ବିଧାୟକ ହେଲେ ନିତ୍ୟାନନ୍ଦ

ବସ୍ତା,୨୪।୫(ସ୍ବ.ପ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନର ଫଳାଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି ଚାଲିଥିଲେ ମଧ୍ୟ ଚୂଡ଼ାନ୍ତ ଫଳାଫଳ ବାହାରିପାରି ନ ଥିଲା । ତେବେ ଶୁକ୍ରବାର ସକାଳେ ଫଳାଫଳକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି । ବିଗତ ୩୦ ବର୍ଷ ଧରି ଜନତା ଦଳ ଓ ବିଜେଡି କବ୍‌ଜାରେ ଥିବା ବସ୍ତା ବିଧାନସଭା ଆସନରେ ବିଜେଡି ବିଧାୟକ ନିତ୍ୟାନନ୍ଦ ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ବିଜନ ନାୟକଙ୍କୁ ପରାଜିତକରି ଦ୍ୱିତୀୟ ଥର ପାଇଁ ବିଜୟ ମୁକୁଟ ପିନ୍ଧିଛନ୍ତି । ପୂର୍ବରୁ ବସ୍ତା ଆସନ କଂଗ୍ରେସର ଗଡ଼ ଭାବେ ପରିଚିତ ଥିବାବେଳେ ୧୯୯୦ ମସିହାରେ ଏହି ଆସନକୁ ଜନତା ଦଳ ନିଜ ଅକ୍ତିଆରକୁ ନେଇଥିଲା । ସେହି ବର୍ଷଠାରୁ ଆଜି ପର୍ଯ୍ୟନ୍ତ ଏଠି ବିଜେଡି ତା’ର ପତିଆରା ସାବ୍ୟସ୍ତ କରିଆସୁଛି । ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ୫ ଥର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ବିଜୟ ଲାଭ କରିଥିବା ବେଳେ ୨୦୧୪ ରୁ ୨୦୧୯ ନିତ୍ୟାନନ୍ଦ ସାହୁ ବିଧାୟକ ଥିଲେ । ପୁଣି ତାଙ୍କୁ ବସ୍ତାରେ ସମର୍ଥନ ମିଳିବା ସହ ସେ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ଶପଥ ପାଠ କରିବେ।
ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଏହି ଆସନରୁ ବିଜେଡି ,କଂଗ୍ରେସ, ଭାଜପା ସମେତ ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ୧୦ ଜଣ ନିର୍ବାଚନ ମଇଦାନରେ ଥିବା ବେଳେ ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ , ଭାଜପା ଓ ବିଜେଡି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।