ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ଶିବସେନା ଏବେ ଏନ୍ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି। ଏତିକି ବେଳେ କିନ୍ତୁ କଂଗ୍ରେସର ଗୋଡ଼ ଟାଣୁଛନ୍ତି ଦଳର ନେତା ସଞ୍ଜୟ ନିରୁପମ। ଗୋଟିଏ ଦିନ ପୂର୍ବରୁ ଏହାକୁ ନେଇ ନିରୁପମ କହିଥିଲେ କଂଗ୍ରେସ ଭୁଲ୍ କରୁଛି। ଶୁକ୍ରବାର ମଧ୍ୟ ସେ ଟୁଇଟ୍ କରି କଂଗ୍ରେସକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କଂଗ୍ରେସ ଶିବସେନା ସହ ମେଣ୍ଟ କରିବା ଭାଜପା ପାଇଁ ଲାଭଦାୟକ ହେବ। କାରଣ ଏହି ମେଣ୍ଟ ସରକାର ବେଶିଦିନ ତିଷ୍ଠି ନ ରହିବାରୁ ପୁଣିଥରେ ଏହାର ଫାଇଦା ଉଠାଇବ ଭାଜପା। ହୁଏତ ଭାଜପାରୁ କେହି ମୁଖ୍ୟମନ୍ତ୍ରୀ ହେବେ ଅଥବା ପୁଣିଥରେ ନିର୍ବାଚନ ହେବ। ଯେଉଁଥିରେ ପୁଣି ଭାଜପା ବାଜି ମାରିବ। ଆଉ କଂଗ୍ରେସ କେଉଁ କୂଳର ହେବ ନାହିଁ ବୋଲି ସେ କହିଛନ୍ତି। ସଞ୍ଜୟଙ୍କ ଏହି ଟୁଇଟ୍ ପରେ ସେ କଂଗ୍ରେସର ଗୋଡ ଟାଣୁଛନ୍ତି ବୋଲି ରାଜନୈତୀକ ମହଲରେ ଚର୍ଚ୍ଚା ହେଉଛି।