କଂଗ୍ରେସର ନିର୍ବାଚନୀ ସଭା : ହେଲିକପ୍ଟରରୁ ଓହ୍ଲାଇ ପାରିଲେନି ନିରଞ୍ଜନ, ରୁଦ୍ରରାଜୁ ଓ ଖୁସ୍‌ବୁ

ରଣପୁର,୨୨ା୪(ସ୍ବ.ପ୍ର.)-ରଣପୁର ତ୍ରିସ୍ତରୀୟ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ରାଜ୍ୟସ୍ତରୀୟ ବରିଷ୍ଠ ନେତୃବୃନ୍ଦଙ୍କୁ ଏଠାକୁ ଆଣି ଦଳର ପ୍ରଚାର ସହ ଭୋଟ ଭିକ୍ଷା କରୁଛନ୍ତି। ରବିବାର ଅପରାହ୍ନ ୩ ଟାରେ କଂଗ୍ରେସ ଦଳ ତରଫରୁ ଏକ ନିର୍ବାଚନ ସଭା ସ୍ଥାନୀୟ ପଞ୍ଚୁଦୋଳ ପଡ଼ିଆରେ ଆୟୋଜନ କରାଯାଇଥିଲା। ସଭା ପାଇଁ ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ କଂଗ୍ରେସ କର୍ମୀ ଓ ନେତାମାନେ ଏକାଠି ହୋଇଥିଲେ। ସଭାରେ ଯୋଗଦେବାକୁ ଆସୁଥିବା ଏଆଇସିସିର ସାଧାରଣ ସମ୍ପାଦକ ରୁଦ୍ରରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତେଲୁଗୁ ଫିଲ୍ମ ହିରୋଇନ୍‌ ଖୁସ୍‌ବୁ ହେଲିକପ୍ଟରରେ ଆସୁଥିବାବେଳେ ପଡିଆରେ ହେଲିକପ୍ଟରଟି ଅବତରଣ କରି ନ ପାରିବାରୁ ପୁଣି ଫେରିଯାଇଥିଲା। ଯାହାଫଳରେ ଦୂରଦୂରାନ୍ତରୁ ସଭାରେ ଯୋଗ ଦେବାକୁ ଆସିଥିବା ସାଧାରଣ ଜନତା, କର୍ମୀ ଓ ନେତା ନିରାଶ ହୋଇ ଫେରିଥିଲେ। ଏହି ଘଟଣାକୁ ନେଇ ଦଳୀୟ ନେତାମାନେ ବିଜେଡି ସରକାରଙ୍କ ଚକ୍ରାନ୍ତରେ ହେଲିକପ୍ଟରକୁ ଅନୁମତି ଦିଆ ନ ଯିବାରୁ ସଭା ପଡ଼ିଆରେ ଅବତରଣ କରିପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରକାଶ ଯେ, ଏହି ସଭା ପାଇଁ ନୟାଗଡ଼ ନିର୍ବାଚନ ଅଧିକାରୀ ଓ ରଣପୁର ଥାନା ତରଫରୁ ଅନୁମତି ଦିଆଯାଇଥିଲା। ସଭାରେ ରୁଦ୍ରରାଜୁ, ନିରଞ୍ଜନ ଓ ଖୁସ୍‌ବୁ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ନିକଟରେ ହେଲିପ୍ୟାଡ଼୍‌ ବ୍ୟବସ୍ଥା ସହ ଦମକଳ ବାହିନୀ ଓ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ୩ଟା ୩୦ରେ ହେଲିକପ୍ଟରଟି ସଭା ପଡ଼ିଆରେ  ପହଞ୍ଚତ୍ ଅବତରଣ ପାଇଁ ୪ଥର ଚେଷ୍ଟା କରି ଶେଷରେ ଫେରିଯାଇଥିଲା। ତେବେ ଏ ଘଟଣାକୁ ନେଇ କଂଗ୍ରେସ ତରଫରୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି ଯେ, ସଭାରେ ଚେୟାର ଖାଲିଥିବା ଓ କର୍ମୀଙ୍କ ସଂଖ୍ୟା କମ୍‌ଥିବାରୁ ନେତାମାନେ ହେଲିକପ୍ଟରରୁ ଅବତରଣ ନ କରି ସେଠାରୁ ଫେରିଯାଇଥିଲେ।