କଂଗ୍ରେସର ମିଡିଆ ସେଲ୍‌ ତାଲିକା ଭାଇରାଲକୁ ନେଇ ଅଡୁଆ: ସତ୍ୟ ପ୍ରକାଶ ଦଳ ଛାଡିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧।୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆ ମିଡିଆ ସେଲ୍‌ କମିଟି ଗଠନ କରିବା ଲାଗି ଯୋଜନା ଆରମ୍ଭ କରିଛନ୍ତି। ମିଡିଆ ସେଲ୍‌ରେ ୨୭ଜଣ ନେତାଙ୍କୁ ଥଇଥାନ କରିବାର ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କିତ ପୁରା ତାଲିକା ପ୍ରସ୍ତୁତ ହୋଇସାରିଥିବା ବେଳେ ଏହାକୁ ଅନୁମୋଦନ ସକାଶେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଚିଠି କରାଯାଇଛି। ଜିତେନ୍ଦ୍ରଙ୍କ ଅନୁମୋଦନ ପରେ ଉକ୍ତ ତାଲିକା ପ୍ରକାଶ ପାଇଥାଆନ୍ତା। ହେଲେ ଏହା ପୂର୍ବରୁ ସବୁକିଛି ଗଡବଡ ହୋଇଯାଇଛି। ପିସିସି ପକ୍ଷରୁ ପ୍ରସ୍ତୁତ ଚିଠା ଗଣମାଧ୍ୟମରେ ପ୍ରଘଟ ହୋଇଯିବାପରେ ସବୁକିଛି ବିଗିଡି ଯାଇଛି। ନିର୍ବାଚନ ପୂର୍ବରୁ ମିଡିଆ ସେଲ୍‌ ଅଧ୍ୟକ୍ଷଭାବେ ସତ୍ୟ ପ୍ରକାଶ ନାୟକ ଦାୟିତ୍ୱ ତୁଲାଇ ଆସୁଥିଲେ। କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପିସିସିର ସମସ୍ତ କମିଟି ଭାଙ୍ଗିଦେବାପରେ ନୂଆ କମିଟି ଗଠନ ହେବାର ଥିଲା। ମାତ୍ର କମିଟି ଗଠନ ହୋଇ ନ ଥିଲେ ମଧ୍ୟ ସତ୍ୟ ପ୍ରକାଶ ଦଳର ସମସ୍ତ ଗଣମାଧ୍ୟମ ଦାୟିତ୍ୱ ବୁଝି ଆସୁଥିଲେ। ହେଲେ ହଠାତ୍‌ ବାହାରେ ପ୍ରଘଟ ହୋଇଥିବା ଦଳର ଗଣମାଧ୍ୟମ ସେଲ୍‌ ତାଲିକାରେ ସତ୍ୟ ପ୍ରକାଶଙ୍କୁ ରିସୋର୍ସ ପର୍ସନଭାବେ ରଖାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କୁ ମିଡିଆ ସେଲ୍‌ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ରହିଛି। ଉକ୍ତ ତାଲିକା ପ୍ରକାଶ ପାଇବାପରେ କୁଆଡେ ସତ୍ୟ ପ୍ରକାଶ ଅସନ୍ତୁଷ୍ଟ ହୋଇ ଦଳ ଛାଡିବାକୁ ନିଷ୍ପତ୍ତି ନେଇସାରିଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମାତ୍ର ଏନେଇ ତାଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ। ଅନ୍ୟପଟେ ଭାଇରାଲ ହୋଇଥିବା କଂଗ୍ରେସ ମିଡିଆ ସେଲ୍‌ ତାଲିକାର ସତ୍ୟତା ନ ଥିବା ଖୋଦ୍‌ ପିସିସି ସଭାପତି କହିଛନ୍ତି।

Share