କଂଗ୍ରେସର ୯ ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୨୬।୯ (ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସବୁ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ବୁଧବାର ଶାସକ ବିଜେଡି ଉପନିର୍ବାଚନ ଦାୟିତ୍ୱ ନେତାଙ୍କ ମଧ୍ୟରେ ବାଣ୍ଟିଥିବା ବେଳେ କଂଗ୍ରେସ ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିଛି। ବିଜେପୁର ଉପନିର୍ବାଚନର ସୁପରିଚାଳନା କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ବିଭିନ୍ନ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପାଇଁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ୯ ନେତାଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟିଛନ୍ତି। ଏହି ପରିପ୍ରେକ୍ଷୀରେ ଗାଇସିଲଟ ବ୍ଲକ ପାଇଁ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଓ ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ହୋଇଥିବା ସମରେନ୍ଦ୍ର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ବିଜେପୁର ବ୍ଲକ ପାଇଁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବିଧାୟକ ରମେଶ ଜେନା ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜା, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ପ୍ରଦୀପ ଦେବତା ଓ ବରପାଲି ବ୍ଲକ ପାଇଁ ନୀହାର ମହାନନ୍ଦ ଏବଂ ସରୋଜ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷେ ଦଳ ପାଖରେ ବର୍ତ୍ତମାନ ଟଙ୍କା ନ ଥିବା ପିସିସି ସଭାପତି କହିଛନ୍ତି। ନିରଞ୍ଜନ କହିଛନ୍ତି, ନିକଟରେ ସାଧାରଣ ନିର୍ବାଚନ ହୋଇଥିବାରୁ ଦଳ ପାଖରେ ଟଙ୍କା ନାହିଁ। ଦଳର ବରିଷ୍ଠ ନେତା ଏବଂ ବଦାନ୍ୟ ବ୍ୟକ୍ତି ଅର୍ଥ ଦିଅନ୍ତୁ ବୋଲି ସେ କହିଛନ୍ତି।

Share