Categories: ଜାତୀୟ

କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼

ନୂଆଦିଲ୍ଲୀ, ୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼ ପାଲଟିଛି। ଏହାର ବିରୋଧରେ ରାଜନୈତିକ ଦଳଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛି। କଂଗ୍ରେସ ପରି ତୃଣମୂଳ, ଜେଡିୟୁ,ଏସ୍‌ପି ଆଦି ୯ଟି ଦଳ ଏହାକୁ ବିରୋଧ କରୁଛନ୍ତି। ଅପରପକ୍ଷରେ ମାୟାବତୀଙ୍କ ବିଏସ୍‌ପି, ଜଗନମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ କଂଗ୍ରେସ, ଏନ୍‌.ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡ଼ିପି, ଶିବସେନା,ଅରବିନ୍ଦ କେଜରିଓ୍ବାଲଙ୍କ ଏପିପି ଆଦି ୧୧ଟି ଦଳ ଏନେଇ ଭାଜପା ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ ଦେଇଛନ୍ତି। ଫଳରେ କଂଗ୍ରେସର ଚିନ୍ତା ବଢ଼ିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଲୋକ ସଭା ନିର୍ବାଚନରେ ସମ୍ପୂର୍ଣ୍ଣ ବିଫଳତା ପରେ ଏବେ କେନ୍ଦ୍ର ସରକାରଙ୍କ ତିନି ତଲାକ୍‌ ଏବଂ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କଂଗ୍ରେସର ମନୋବଳକୁ ଦୁର୍ବଳ କରିଦେଇଥିବା କୁହାଯାଉଛି। ଅପରପକ୍ଷରେ କଂଗ୍ରେସ ମଧ୍ୟରେ ୩୭୦କୁ ସମର୍ଥନ କରିବା ନ କରିବା ନେଇ ଫାଟ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ଫଳରେ ଦଳର ମଙ୍ଗୁଆଳଙ୍କ ଚିନ୍ତା ବଢ଼ିଥିବା କୁହାଯାଉଛି।

Share