ବୈକୁଣ୍ଠନାଥ ମିଶ୍ର
ସ୍ବାଧୀନତା ଆନ୍ଦୋଳନ, ସ୍ବାଧୀନତା ପ୍ରାପ୍ତି ଓ ସ୍ବାଧୀନତୋତ୍ତର ଭାରତବର୍ଷରେ ଲୋକତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବାରେ ଜାତୀୟ କଂଗ୍ରେସର ଅବଦାନ ସର୍ବଜନବିଦିତ। ସ୍ବାଧୀନତାର ପ୍ରାକ୍ପ୍ରସ୍ତୁତିସ୍ବରୂପ କଂଗ୍ରେସର ସର୍ବଭାରତୀୟ ସ୍ତରରେ ଅଧ୍ୟକ୍ଷ ନିର୍ବାଚନ ଓ ସ୍ବାଧୀନ ଭାରତର ପ୍ରଧାନମନ୍ତ୍ରୀ ମନୋନୟନ କାର୍ଯ୍ୟ ସମାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥାଏ। କଂଗ୍ରେସ କାର୍ଯ୍ୟନିର୍ବାହୀ କମିଟିର ସୁପାରିସ ଅନୁସାରେ ପ୍ରଦେଶ କମିଟିମାନଙ୍କୁ ଦୁଇଜଣଙ୍କ ମଧ୍ୟରୁ ଜଣକର ନାମ ପସନ୍ଦ କରି ଗୁପ୍ତ ଭାବରେ ଜଣାଇବାକୁ କୁହାଗଲା। ଦୁଇଜଣଙ୍କ ମଧ୍ୟରୁ ଜଣେ ଥିଲେ ପଣ୍ଡିତ ଜବାହରଲାଲ ନେହେରୁ ଓ ଅନ୍ୟ ଜଣେ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। କିନ୍ତୁ ଆଶ୍ଚର୍ଯ୍ୟର କଥା କୌଣସି ଗୋଟିଏ ପ୍ରଦେଶ କଂଗ୍ରେସ କମିଟି ପଣ୍ଡିତ ନେହେରୁଙ୍କ ନାମ ପ୍ରସ୍ତାବ କରି ନ ଥିଲେ। ତିନୋଟି ପିସିସି କାହାରି ନାମ ପ୍ରସ୍ତାବ ନ କରି ଏହାକୁ ଆଇସିସି ଉପରେ ଛାଡ଼ି ଦେଇଥିଲେ। ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଅତି ରହସ୍ୟପୂର୍ଣ୍ଣ ଭାବେ ଗୁପ୍ତ ରଖାଗଲା। ଦେଶ ସ୍ବାଧୀନ ହେବା ପରେ ନେହେରୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ମହାତ୍ମା ଗାନ୍ଧୀ ଇଚ୍ଛାବ୍ୟକ୍ତ କରିବାରୁ ଅନ୍ୟମାନେ ବିରୋଧ କରି ନ ପାରି ନୀରବ ରହିଲେ। ଏହି ଘଟଣା ସୂଚିତ କରେ ଯେ, ନେହେରୁ ଗଣତନ୍ତ୍ର ପ୍ରତି କେତେ ଉଦାର ଥିଲେ! ପରବର୍ତ୍ତୀ କାଳରେ ନେହେରୁଙ୍କ ସ୍ବେଚ୍ଛାଚାରିତା ଓ ଅନୀତି ପ୍ରତି କଂଗ୍ରେସର ମୁଷ୍ଟିମେୟ ନିଷ୍ଠାପର ସଦସ୍ୟ ନୀରବତାକୁ ଶ୍ରେୟଃ ମଣିଲେ। ମୁଦ୍ରା ଦୁର୍ନୀତି, ଖଣି ଦୁର୍ନୀତି, ଏପରି କି ଚାଇନା ଯୁଦ୍ଧରେ ଅସଫଳତା ସତ୍ତ୍ୱେ କେହି ସ୍ବର ଉତ୍ତୋଳନ କରିବାକୁ ସାହସ କରି ନ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଭାରତକୁ ସେତେବେଳେ ଜାତିସଂଘ ନିରାପତ୍ତା ପରିଷଦର ସଭ୍ୟପଦ ଯଚାଯାଇଥିଲେ ମଧ୍ୟ ନେହେରୁ ଚାଇନାକୁ ଅସନ୍ତୁଷ୍ଟ ନ କରିବା ଉଦ୍ଦେଶ୍ୟରେ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଇନ୍ଦିରା ଗାନ୍ଧୀ ଏକ ସଂଯୋଗକ୍ରମେ ଭାରତର ପ୍ରଧାନମନ୍ତ୍ରୀ ପଦ ଅଳଂକୃତ କଲେ। ଲାଲବାହାଦୁର ଶାସ୍ତ୍ରୀଙ୍କର ତାସ୍କେଣ୍ଟଠାରେ ରହସ୍ୟଜନକ ମୃତ୍ୟୁ ହିଁ ଇନ୍ଦିରାଙ୍କ ପଥ ପରିଷ୍କାର କରିଦେଲା। ଇନ୍ଦିରା ତାଙ୍କ ଶାସନକାଳ ମଧ୍ୟରେ ଅନେକ ଅଗଣତାନ୍ତ୍ରିକ ଘଟଣାର ସଂସ୍ଥାପିକା ସାଜିଛନ୍ତି। ନ୍ୟାୟପାଳିକା ଉପରେ ନିଜର ପ୍ରଭାବ ବିସ୍ତାର କରି ଚାରିଜଣ ବିଚାରପତିଙ୍କୁ ଅନ୍ୟମାନଙ୍କ ବରିଷ୍ଠତାକୁ ଉପେକ୍ଷା କରି ପଦୋନ୍ନତି ଦେଲେ, ଯେଉଁଥିପାଇଁ ନ୍ୟାୟପାଳିକା କଂଗ୍ରେସ ଦଳ ଓ ଇନ୍ଦିରାଙ୍କ ପାଇଁ ପ୍ରତିବଦ୍ଧ ରହିଲେ। ୧୯୭୫ରେ ଅପ୍ରତିହତ ଜନ-ଅସନ୍ତୋଷ ଓ ବିରୋଧୀଙ୍କ ବିରୋଧକୁ ନିଷ୍ପ୍ରଭ କରିବାକୁ ଯାଇ ନିଜର ସ୍ବାର୍ଥ ପୂରଣ ଅଭୀପ୍ସାରେ ଦେଶରେ ଜାରି କଲେ ଐତିହାସିକ ଜରୁରୀ ପରିସ୍ଥିତି। କଂଗ୍ରେସକୁ ବିରୋଧ କରୁଥିବା ଦେଶର ସମସ୍ତ ବିଶିଷ୍ଟ ନେତାଙ୍କୁ କାରାରୁଦ୍ଧ କରାଗଲା। ଇନ୍ଦିରା ଗାନ୍ଧୀଙ୍କ ସମୟରେ ପାର୍ଲାମେଣ୍ଟରେ କୋରମ୍ (ଆବଶ୍ୟକ ସଂଖ୍ୟକ ସଭ୍ୟଙ୍କ ଉପସ୍ଥିତି) ନିୟମକୁ ଉଚ୍ଛେଦ କରାଗଲା; ଯଦ୍ଦ୍ବାରା ସୀମିତ ସଂଖ୍ୟକ ଅନୁଗତ କଂଗ୍ରେସ ସଦସ୍ୟଙ୍କ ଉପସ୍ଥିତିରେ ଦେଶ ଶାସନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଗଲା। ଇନ୍ଦିରାଙ୍କ ଭାବମୂର୍ତ୍ତିକୁ ନେଇ ସାଧାରଣରେ ଏପରି ଚିତ୍ର ଆଙ୍କି ଦିଆଗଲା ଯେ, ତାଙ୍କ ବ୍ୟତିରେକେ ଯେପରି ଭାରତ ଶାସନ ଅକଳ୍ପନୀୟ! ଏହି ଚିତ୍ରକୁ ଅଧିକ ରସାଣିତ କଲେ ଏକଦା କଂଗ୍ରେସର ଅଧ୍ୟକ୍ଷ ଥିବା ଦେବକାନ୍ତ ବରୁହା, ଯିଏ କହିଲେ ‘ଇନ୍ଦିରା ଇଜ୍ ଇଣ୍ଡିଆ ଆଣ୍ଡ୍ ଇଣ୍ଡିଆ ଇଜ୍ ଇନ୍ଦିରା’। ଏଭଳି ତୋଷାମଦରେ ଇନ୍ଦିରା ଉଲ୍ଲସିତ ହେଉଥିଲେ ଓ ତାଙ୍କ ଭିତରେ ଏକଛତ୍ରବାଦର ସ୍ଥିତି କ୍ରମେ ସୁଦୃଢ଼ ହେଉଥିଲା।
ନେହେରୁ-ଗାନ୍ଧୀ ପରିବାରର ତୃତୀୟ ଉତ୍ତରାଧିକାରୀ ରାଜୀବ ଗାନ୍ଧୀ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ, ଯାହାଙ୍କ ନାମରେ ପ୍ରତିରକ୍ଷା ନିମିତ୍ତ ଅସ୍ତ୍ର ଖରିଦ୍ ବାବଦରେ ବିଦେଶୀ କମ୍ପାନୀଠାରୁ ପ୍ରତ୍ୟକ୍ଷ ଲାଞ୍ଚ ଗ୍ରହଣର ଆରୋପ ଲଗାଯାଇଥିଲା। ତାଙ୍କ ପୂର୍ବ କିମ୍ବା ପର କୌଣସି ପ୍ରଧାନମନ୍ତ୍ରୀ ସିଧାସଳଖ ଲାଞ୍ଚ ଗ୍ରହଣ କରିବାର ଉଦାହରଣ ନାହିଁ। ସବୁଠାରୁ ଅଧିକ ଆର୍ଥିକ ଅନିୟମିତତା ଯଥା ମଧ୍ୟପ୍ରଦେଶ ଲଟେରି ସ୍କାମ୍, ମହାରାଷ୍ଟ୍ର ସରକାରୀ ପ୍ଲଟ୍ ବିକ୍ରି ଓ ଏୟାର୍ ବସ୍ କିଣା ସ୍କାମ୍ ରାଜୀବଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟର ଲଜ୍ଜାକର ଘଟଣା। ନେହେରୁ-ଗାନ୍ଧୀ ପରିବାର କ୍ଷମତା ଅଳିନ୍ଦ ମଧ୍ୟରେ ନିଜକୁ ସର୍ବେସର୍ବା ମନେକରୁଥିଲେ ଏବଂ ତାଙ୍କୁ ବିରୋଧ କରୁଥିବା କୌଣସି ନେତା ବା ଅଧିକାରୀଙ୍କୁ ସେ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦେଉ ନ ଥିଲେ। ଜବାହରଲାଲ ନେହେରୁ ଓ କନ୍ୟା ଇନ୍ଦିରା ନିଜ ପାଇଁ ସର୍ବଶ୍ରେଷ୍ଠ ସମ୍ମାନ ‘ଭାରତରତ୍ନ’ ପ୍ରଦାନର ପଥ ପରିଷ୍କାର କରିଥିଲେ। ସେ ସମୟରେ ଯୋଗ୍ୟ ବ୍ୟକ୍ତିଙ୍କର ଅଭାବ ନ ଥିଲେ ମଧ୍ୟ ଅନ୍ୟ କାହାକୁ ଉକ୍ତ ସମ୍ମାନ ଦେବାକୁ ସେମାନେ ଆଦୌ କୌଣସି ପଦକ୍ଷେପ ନେଇନାହାନ୍ତି। ରାଜୀବଙ୍କୁ ମଧ୍ୟ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରାଯାଇଛି। କଂଗ୍ରେସର ଏହି ତିନି ପ୍ରଧାନମନ୍ତ୍ରୀ ଭାରତର ସୁଯୋଗ୍ୟ ସନ୍ତାନ ସର୍ଦ୍ଦାର ପଟେଲ କିମ୍ବା ବି.ଆର୍. ଆମ୍ବେଡକର କିମ୍ବା ଅନ୍ୟ କୌଣସି ଉଚ୍ଚ ମୂଲ୍ୟବୋଧସମ୍ପନ୍ନ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରିଥିଲେ। ସର୍ଦ୍ଦାର ପଟେଲ ଓ ଡ. ଆମ୍ବେଡକରଙ୍କୁ ପରବର୍ତ୍ତୀ ସମୟରେ ଅଣକଂଗ୍ରେସ ସରକାରଙ୍କ ଦ୍ୱାରା ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଇଛି। ନେହେରୁ-ଗାନ୍ଧୀ ପରିବାର ଭାରତରେ ଏକମାତ୍ର ପରିବାର, ଯେଉଁମାନଙ୍କ ନାମରେ ଅଧିକାଂଶ ଯୋଜନା, ସଡ଼କ, ବିମାନବନ୍ଦର, କ୍ରୀଡ଼ା ପୁରସ୍କାର ନାମିତ କରାଯାଇଛି।
ରାଜୀବଙ୍କ ତିରୋଧାନ ପରେ ଦେଶରେ ଯେତେବେଳେ ବି କଂଗ୍ରେସ ଶାସନ କରିଛି, ସେ ପ୍ରଧାନମନ୍ତ୍ରୀମାନେ ଛାୟା ପ୍ରଧାନମନ୍ତ୍ରୀ ଭାବେ ଗାନ୍ଧୀ ପରିବାରର ଇଚ୍ଛାକୁ ଫଳବତୀ କରିଛନ୍ତି ମାତ୍ର। ବିଗତ ଲୋକ ସଭାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସଦସ୍ୟ ଥିଲେ ମଧ୍ୟ ପାର୍ଲାମେଣ୍ଟ ଅଧିବେଶନ କାଳରେ ଗୋଟିଏ ହେଲେ ପ୍ରଶ୍ନ ପଚାରିନାହାନ୍ତି। ପିଆର୍ଏସ୍ ଇଣ୍ଡିଆର ଏକ ସର୍ବେକ୍ଷଣ ଅନୁସାରେ, ଗତ ଷୋଡ଼ଶ ଲୋକ ସଭାରେ ସଭ୍ୟମାନେ ହାରାହାରି ପଚାରିଥିଲେ ମୁଣ୍ଡପିଛା ୨୯୩ଟି ପ୍ରଶ୍ନ। ଏପରି କି ଜଣେ ସଦସ୍ୟ ପଚାରିଥିଲେ ୧୧୮୧ଟି ପ୍ରଶ୍ନ। ମାତ୍ର ମାତାପୁତ୍ର ଦୁହେଁ ଏଥିରୁ ସମ୍ପୂର୍ଣ୍ଣ ବିରତ ରହିଛନ୍ତି। କୁହାଯାଏ, ସୋନିଆ ଗାନ୍ଧୀ ସମ୍ପ୍ରତି ପୃଥିବୀର ଚତୁର୍ଥ ଧନୀ ବ୍ୟକ୍ତି। ଇଟାଲୀର ଏକ ସାଧାରଣ ଲଳନା ଗାନ୍ଧୀ ପରିବାରର କୁଳବଧୂ ସାଜି ଭାରତ ଆସିବା ପରେ ଭାଗ୍ୟଦେବୀଙ୍କ ପ୍ରସନ୍ନତାରୁ ଏକ ବୃହତ୍ ଧନଭଣ୍ଡାରର ମାଲିକ ବନିଗଲେ। ସୋନିଆଙ୍କର ସର୍ବଶ୍ରେଷ୍ଠ ଅଗଣତାନ୍ତ୍ରିକ କାର୍ଯ୍ୟ ଥିଲା ସୀତାରାମ କେଶରୀଙ୍କ ପରି ଜଣେ ବୟୋଜ୍ୟେଷ୍ଠ ତ୍ୟାଗପୂତ କଂଗ୍ରେସୀ ନେତାଙ୍କୁ ଦଳର ଅଧ୍ୟକ୍ଷ ପଦରୁ ଅପମାନଜନକ ଭାବେ ବହିଷ୍କାର କରି ଅଧ୍ୟକ୍ଷ ପଦକୁ ନିଜ ହାତକୁ ନେବା। ତାଙ୍କ ବିଦେଶିନୀ ଛାପ ସିନା ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଦୂରେଇ ରଖିଲା, କିନ୍ତୁ ନେହେରୁ-ଗାନ୍ଧୀ ପରିବାରର ଧନଭଣ୍ଡାରର ମାଲିକାଣୀ ହେବାର ସୌଭାଗ୍ୟ ତାଙ୍କୁ ଅନାୟାସରେ ପ୍ରାପ୍ତ ହେଲା। ଗାନ୍ଧୀ ପରିବାରର ଅନ୍ୟତମ କୁଳବଧୂ ମାନେକା ଗାନ୍ଧୀ ଓ ତାଙ୍କ ପୁତ୍ର ବରୁଣଙ୍କୁ ଏଥିରୁ ବଞ୍ଚିତ କରାଗଲା।
ସ୍ବାଧୀନତୋତ୍ତର ଭାରତବର୍ଷରେ ରାଜା, ଜମିଦାରମାନଙ୍କ ଯୋଗଦାନରେ କଂଗ୍ରେସ ପରିପୁଷ୍ଟତା ଲାଭକଲା। ସାଧାରଣ ଜନତା ଦେଶ ଶାସନ ସମ୍ବନ୍ଧରେ ଅଜ୍ଞ ଥିଲେ। ପୁଣି ସେମାନଙ୍କ ଶରୀରରେ ରାଜଭକ୍ତିର ରକ୍ତ ପ୍ରବହମାନ ଥିଲା। ସେମାନେ ଥିଲେ କଂଗ୍ରେସର ପକେଟ ଭୋଟ। କ୍ରମେ ଶିକ୍ଷାର ପ୍ରସାର ଘଟିଲା। ଲୋକେ ବୁଝିଲେ ଯେ ଆଜିପର୍ଯ୍ୟନ୍ତ ଗୋଟିଏ ଦଳ ତାଙ୍କୁ ଜଡ଼ତା ମଧ୍ୟରେ ରଖିଆସିଥିଲା। ପରଦା ଅନ୍ତରାଳରେ ଥିବା ସତ୍ୟକୁ ସେମାନେ ଉପଲବ୍ଧି କଲେ। କଂଗ୍ରେସଠାରୁ ସେମାନଙ୍କ ଦୂରତା ବୃଦ୍ଧି ପାଇଲା। ନେହେରୁ-ଗାନ୍ଧୀ ପରିବାରର ସର୍ବକନିଷ୍ଠ ଦାୟାଦ ରାହୁଲଙ୍କୁ ଏହା ଭୀଷଣ ପ୍ରଭାବିତ କଲା। ପୂର୍ବଜଙ୍କ କୃତକର୍ମର ଫଳ ତାଙ୍କୁ ଭୋଗିବାକୁ ହେଲା। ସେ କିମ୍ବା ତାଙ୍କ ଦଳ ଜନତାଙ୍କର ନିକଟତର ହୋଇପାରିଲେ ନାହିଁ। କଂଗ୍ରେସର ପରିବାରବାଦକୁ ୨୦୧୯ ନିର୍ବାଚନରେ ଲୋକେ ଅଗ୍ରାହ୍ୟ କଲେ। ବିଶେଷକରି ରାହୁଲଙ୍କ ଅପରିପକ୍ୱତା ତାଙ୍କ ପାଇଁ ବଇରୀ ସାଜିଲା। ରାହୁଲଙ୍କ ପାଇଁ ଏବେ ସମୟ ଉପଗତ। ପୂର୍ବଜଙ୍କ ତ୍ରୁଟିକୁ ସୁଧାରି ସେ କଂଗ୍ରେସ ପାଇଁ ଏକ ସମ୍ଭାବନାମୟ ଭବିଷ୍ୟତ ଗଠନ କରିବା ଦରକାର। ଆଜିର ପରାଜୟ ଭବିଷ୍ୟତ ପାଇଁ ଗଠନମୂଳକ ସମ୍ଭାବନା ସୃଷ୍ଟି କରିପାରେ। ଜନ୍ କେନେଡିଙ୍କ ଭାଷାରେ ‘ଡିଫିଟ୍ ମେ ବି ଆନ୍ ଅରଫାନ୍, ବଟ ଇଟ୍ ଇଜ୍ ଏ ଫେକଣ୍ଡ ପ୍ୟାରେଣ୍ଟ।’ ଅର୍ଥାତ୍ ପରାଜୟ ହୋଇପାରେ ଏକ ଅନାଥ ଶିଶୁ- କିନ୍ତୁ ଏହି ଅନାଥ ଶିଶୁ ହୋଇପାରେ ଦିନେ ବହୁପ୍ରସୂ ମାତାପିତା ସଦୃଶ। କଂଗ୍ରେସ ପାଇଁ ତ୍ରୁଟି ସଂଶୋଧନ ସର୍ବାଦୌ ବାଞ୍ଛନୀୟ।
ସିଦ୍ଧଳ, ଜଗତ୍ସିଂହପୁର, ମୋ-୯୯୩୭୪୫୦୫୪୦