Categories: ଜାତୀୟ

କଂଗ୍ରେସ ନେତାରୁ ଲୋକ ସେବକ ପାଲଟି ଗଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୨୫।୧୧:କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଟୁଇଟର ଆକାଉଣ୍ଟକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। କାରଣ ସେ କଂଗ୍ରେସ ନେତାରୁ ଏବେ ପାଲଟିଯାଇଛନ୍ତି ଲୋକ ସେବକ ଓ କ୍ରିକେଟ ପ୍ରେମୀ। ସୂଚନାଯୋଗ୍ୟ, ତାଙ୍କ ଟୁଇଟର ଆକାଉଣ୍ଟରେ ପୂର୍ବ କେନ୍ଦ୍ରମନ୍ତ୍ରୀ ଓ ପୂର୍ବ ସାଂସଦ ଲେଖାଯାଇଥିଲା। ଆଉ ଏବେ ତାଙ୍କ ପ୍ରୋଫାଇଲ ବଦଳିଯିବାରୁ ପ୍ରଶ୍ନ ଉଠିଛି ସେ କାହିଁକି ତାଙ୍କ ପ୍ରୋଫାଇଲ ପରିବର୍ତ୍ତନ କଲେ। ଏହି ନୂଆ ପ୍ରୋଫାଇଲରେ କେଉଁଠିବି କଂଗ୍ରେସର ନାଁ ନ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ନିକଟରେ ଜ୍ୟୋତିରାଦିତ୍ୟଙ୍କର ଏମିତି କିଛି ବୟାନ ଆସିଥିଲା ଯେଉଁଥିରେ ଅନୁମାନ କରାଯାଉଥିଲା କି ତାଙ୍କର ଓ କଂଗ୍ରେସ ମଧ୍ୟରେ କିଛି ଭଲ ସମ୍ପର୍କ ନାହିଁ। ତେବେ ସିନ୍ଧିଆ ଋଣଛାଡ, ବନ୍ୟା ସହାୟତା ରାଶି ଓ ବିଜୁଳି କାଟକୁ ନେଇ କମଲନାଥ ସରକାରଙ୍କୁ କାଠଗଡାକୁ ଟାଣିଥିଲେ। ଆଉ ଭାଜପା ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିବାକୁ ସୁଯୋଗ ପାଇଥିଲା। ଏବେ କିନ୍ତୁ ନିଜ ପ୍ରୋଫାଇଲକୁ ନେଇ ସେ କହିଛନ୍ତି, ଗୋଟିଏ ମାସ ଆଗରୁ ସେ ଏହାକୁ ପରିବର୍ତ୍ତନ କରିଛନ୍ତି। ତେବେ ଜନତାଙ୍କ ଦାବି ପରେ ସେ ତାଙ୍କ ପ୍ରୋଫାଇଲକୁ ଛୋଟ କରିଦେଇଛନ୍ତି। କଂଗ୍ରେସ ସହ ଏହାର କୌଣସି ସମ୍ପର୍କ ନାହିଁ।

Share