କଂଗ୍ରେସ ନେତାଙ୍କୁ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୨।୫: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି। କରୋନା ରୋକିବାକୁ ଦେଶରେ ଆଗୁଆ ଲକ୍‌ଡାଉନ କରାଯାଇଥିଲେ ସୁଦ୍ଧା ସଂକ୍ରମଣ ଥମିବାରେ ନା ନେଉଛି। ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୩ହଜାରରୁ ଊର୍ଦ୍ଧ୍ୱ ହୋଇଛି। ଇତିମଧ୍ୟରେ କଂଗ୍ରେସ ନେତା ସଞ୍ଜୟ ଝା କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ଏବେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଶୁକ୍ରବାର ଏନେଇ ସଞ୍ଜୟ ଟୁଇଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହାକୁ ହାଲୁକା ଭାବେ କେହି ନିଅନ୍ତୁ ନାହିଁ, ସଚେତନ ରୁହନ୍ତୁ ଓ ନିଜର ଯତ୍ନ ନିଅନ୍ତୁ ବୋଲି ସଞ୍ଜୟ କହିଛନ୍ତି। ସୂଚନାଯୋଗ୍ୟ, ସଞ୍ଜୟଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଦେଇ ନ ଥିବା ବେଳେ ତାଙ୍କ ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଛି।

Share