କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ: ବିଭିନ୍ନ ଅଞ୍ଚଳରେ ବନ୍ଦ ପ୍ରଭାବ

ମାଲକାନଗିରି,୧୦।୧(ଡି.ଏନ୍‌.ଏ): ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ମାଲକାନଗିରି ଜିଲା ବନ୍ଦ ଡାକରା ଦିଆଯାଇଛି । ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଏମ୍‌ପି ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜିଲା ସଦର ମହକୁମାର ବିଭିନ୍ନ ଛକରେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି । ଏଥିସହ ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କର୍ମୀମାନେ ଧାରଣା ଦେଇ ବିଭିନ୍ନ ସ୍ଲୋଗାନ ଦେବା ସହ ଜିଲାପାଳଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ବନ୍ଦ ଡାକରା ଯୋଗୁ ଜିଲାବ୍ୟାପୀ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି । ଜିଲାର ମାଥିଲି ସମେତ ଅନ୍ୟାନ୍ୟ ଅଞ୍ଚଳ ବାଲିମେଳା, କୋରୁକୋଣ୍ଡା, କାଲିମେଳା, ଖଇରପୁଟ,ପଡ଼ିଆ, ମୋଟୁ, କୁଡ଼ୁମୁଲୁଗୁମ୍ମା ସମେତ ବିଭିନ୍ନ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।