Categories: ଜାତୀୟ

କଂଗ୍ରେସ ପ୍ରତିନିଧିମଣ୍ଡଳଙ୍କ ସହ ହିଂସା ପ୍ରଭାବିତ ଅଞ୍ଚଳକୁ ଗସ୍ତ କଲେ ରାହୁଲ

ନୂଆଦିଲ୍ଲୀ, ୪।୩: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଏବେ ଶାନ୍ତ ପଡ଼ିଛି। ହିଂସା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଧିରେ ଧିରେ ସ୍ବାଭାବିକ ଅବସ୍ଥାକୁ ଫେରୁଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସ ନେତାଙ୍କ ସହ ବୁଧବାର ଦିଲ୍ଲୀ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି। ଉତ୍ତର-ପୂର୍ବ ଦିଲ୍ଲୀର ବ୍ରିଜ୍‌ପୁରୀ ଅଞ୍ଚଳରେ ରାହୁଲ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ଏଥିସହ ହିଂସାର ଶିକାର ହୋଇଥିବା ସ୍କୁଲକୁ ମଧ୍ୟ ପରିଦର୍ଶନ କରି ରାହୁଲ କହିଛନ୍ତି, ଏଠାରେ ଏକତା ଓ ଭାଇଚାରାକୁ ଜଳାଇ ଦିଆଯାଇଛି। ଏହି ସ୍କୁଲ ଦିଲ୍ଲୀର ଭବିଷ୍ୟତ କିନ୍ତୁ ଏହାକୁ ହିଂସା ଓ ଘୃଣା ନଷ୍ଟ କରିଦେଇଛି। ଏହି ସମୟରେ ସମସ୍ତେ ଏକାଠି ହୋଇ ମିଳିମିଶି କାମ କରି ଭାରତକୁ ଆଗକୁ ବଢ଼ାଇବା ଉଚିତ। ଏକତା, ଭାଇଚାରା ଓ ଭଲପାଇବା ଦେଶର ଶକ୍ତି ବୋଲି ରାହୁଲ କହିଛନ୍ତି। ତେବେ ରାହୁଲଙ୍କ ସହ ଏହି ପ୍ରତିନିଧିମଣ୍ଡଳରେ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ, କେସି ଭେନୁଗୋପାଲ ଓ ସୈଲଜା କୁମାରୀଙ୍କ ସହ ବହୁ ତୁଙ୍ଗ ନେତା ସାମିଲ ହୋଇଥିଲେ।

Share