ନୂଆଦିଲ୍ଲୀ, ୨୬।୬: ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏହାକୁ ଦଳ ସ୍ବୀକାର କରୁନାହିଁ କି ଭାଜପାର ବିଜୟକୁ ହଜମ କରିପାରୁ ନାହିଁ ବୋଲି ବୁଧବାର ରାଜ୍ୟ ସଭାରେ ମୋଦି କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ସଂସଦର ଦୁଇ ସଦନରେ ଚାଲିଥିବା ଚର୍ଚ୍ଚାକୁ ନେଇ ସେ ମତ ରଖି କହିଛନ୍ତି, କଂଗ୍ରେସର ଅନେକ ଅସୁବିଧା ରହିଛି। ୨୦୧୪ରୁ ମୁଁ ତାହା ଦେଖିଆସୁଛି। ଲୋକତନ୍ତ୍ରରେ ସବୁ ଦଳର ଏକ ସ୍ଥାନ ଏବଂ ସମ୍ମାନ ରହିଛି। ୨୦୧୯ ନିର୍ବାଚନରେ ଭାଜପାର ଐତିହାସିକ ବିଜୟକୁ କଂଗ୍ରେସ ସହିପାରୁନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ହାରିଗଲା ପରେ କ’ଣ ଦେଶ ହାରିଗଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି। ନିର୍ବାଚନ ପୂର୍ବରୁ କିଛି କଂଗ୍ରେସ ନେତା ଇଭିଏମକୁ ନେଇ ଆପତ୍ତି ଉଠାଇଲେ, ଯାହା ଜନତନ୍ତ୍ରକୁ ଅପମାନ ବୋଲି ସେ କହିଛନ୍ତି।