କଂଗ୍ରେସ ଭବନରେ ହଠାତ୍‌ ଉତ୍ସବ

ଭୁବନେଶ୍ୱର, ୨୪-୫(ବ୍ୟୁରୋ):ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ବୁଧବାର କଂଗ୍ରେସ ଭବନରେ ଯେଉଁ ଭିଡ଼ ଦେଖିବାକୁ ମିଳିଥିଲା ଗୁରୁବାର ତାହା ନ ଥିଲା। ସକାଳ ୮ଟାରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବାମାତ୍ରେ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ବଢ଼ିଥିଲା ଉତ୍କଣ୍ଠା। କେତେଜଣ କର୍ମୀ କଂଗ୍ରେସ ଭବନକୁ ଆସିଥିଲେ। ହେଲେ ଇଭିଏମ୍‌ ଖୋଲିବାର ଘଣ୍ଟାଏ ପରଠାରୁ କଂଗ୍ରେସ ଭବନକୁ ଆଉ କୌଣସି ନେତା ଆସି ନ ଥିବାବେଳେ ଉପସ୍ଥିତ କର୍ମୀମାନେ ମଧ୍ୟ ମନ ଦୁଃଖରେ ସ୍ଥାନ ଛାଡ଼ିଥିଲେ। ପରେ କଂଗ୍ରେସର କୌଣସି ଜଣେ ବି ନେତାଙ୍କ ପାଦ କଂଗ୍ରେସ ଭବନରେ ପଡି ନ ଥିଲା। କଂଗ୍ରେସ ମୁଖିଆ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ଘରେ ରହିଥିବା ଦେଖିବାକୁ ମିଳିଥିଲା। ପୂରା ଦିନସାରା କଂଗ୍ରେସ ଭବନ ଖାଲି ପଡିଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ କଂଗ୍ରେସ ଭବନ ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ହେଲେ ସନ୍ଧ୍ୟାରେ ହଠାତ୍‌ ଦେଖିବାକୁ ମିଳିଥିଲା କିଛି ନେତା ଓ କର୍ମୀଙ୍କ ଗହଳି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀରୁ ବିଜୟଲାଭ କରିବା ପରେ କଂଗ୍ରେସ ଭବନରେ ହଠାତ ଉତ୍ସବରେ ମୁଖରିତ ହୋଇଉଠିଥିଲା। ନେତା ଓ କର୍ମୀମାନେ ରାଉତରାୟଙ୍କୁ ମିଠା ଖୁଆଇ ନାଚିନାଚି ଉତ୍ସବ ମନାଇଥିଲେ।

Share