‘କଂସ’କୁ ନେଇ ଆଶାବାଦୀ ବିନୋଦ

ଆଗଧାଡ଼ିର ଯାତ୍ରା ନିର୍ଦ୍ଦେଶକ ଲିଟିଲ ମାଷ୍ଟର ବିନୋଦ ରାଉତ। ତାଙ୍କ ନାଟକ ପ୍ରତି ଦର୍ଶକମାନଙ୍କର ସ୍ବତନ୍ତ୍ର ଅପେକ୍ଷା ରହିଥାଏ। ଚଳିତବର୍ଷ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ବିନୋଦ ରାଉତଙ୍କ ପ୍ରଶଂସକମାନେ ତାଙ୍କ ନିର୍ଦ୍ଦେଶିତ ନାଟକସବୁ ଦେଖିବା ପାଇଁ ଆଗ୍ରହାନ୍ବିତ ହୋଇ ଉଠିଛନ୍ତି। ବିନୋଦ ରାଉତ କହନ୍ତି : ମୋର ତ ଅନେକ ନାଟକ ରହିଛି। ତେବେ କୋଣାର୍କ ଗଣନାଟ୍ୟ ପ୍ରଯୋଜିତ ନାଟକ ‘କଂସ’କୁ ନେଇ ମୁଁ ବେଶି ଆଶାବାଦୀ ଅଛି। ‘କଂସ’ ନାଟକର ନାଟ୍ୟକାର ହେଉଛନ୍ତି ଅଧ୍ୟାପକ କୃଷ୍ଣଚନ୍ଦ୍ର ପାତ୍ର। ରାଜ ପରିବାରର ଗୋଟିଏ ପିଲା। ବିମାତାର ଅତ୍ୟାଚାରରେ ଅତ୍ୟାଚାରିତ ହେଉଛି। ସମୟକ୍ରମେ ସେ ତା’ର ମାନସିକ ସନ୍ତୁଳନ ହରେଇ ବସୁଛି। ଏହିପରି ଏକ ବିଷୟକୁ ନେଇ ରଚିତ ହୋଇଛି ‘କଂସ’। ନାଟକ ସମ୍ପର୍କରେ ନିର୍ଦ୍ଦେଶକଙ୍କ ମନ୍ତବ୍ୟ ହେଉଛି, କଂସ ଏକ ଚରିତ୍ର ନୁହେଁ। କଂସ ଏକ ମାନସିକତା। ମୁଁ ଏହାକୁ ହିଁ ନାଟକରେ ପ୍ରତିପାଦିତ କରିବାର ଚେଷ୍ଟା କରିଛି। ସାରା ଓଡ଼ିଶାର ଦର୍ଶକମାନେ ମୋର ସବୁ ନାଟକକୁ ଯଥୋଚିତ ଭଲ ପାଇବା ଦେଇଛନ୍ତି। ଏ ନାଟକଟିକୁ ମଧ୍ୟ ଅନୁରୂପ ଶ୍ରଦ୍ଧା ମିଳିବ ବୋଲି ମୋର ବିଶ୍ୱାସ। ସୂଚନାଯୋଗ୍ୟ ଯେ, ଲିଟିଲ ମାଷ୍ଟର ବିନୋଦ ରାଉତଙ୍କ କଳାକାର ଜୀବନ ଆରମ୍ଭ ହୋଇଥିଲା ଫିଲ୍ମରୁ। ସେ ରବି କିନ୍ନାଗୀଙ୍କ ମୁଖ୍ୟ ସହଯୋଗୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ସୁପରହିଟ୍‌ ଓଡ଼ିଆ ଫିଲ୍ମ ‘ପରଦେଶୀ ଚଢ଼େଇ’ର ନିର୍ଦ୍ଦେଶନା ଟିମ୍‌ରେ ଭାଗ ନେଇ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ତାଙ୍କର ପ୍ରଥମ ନାଟକ ଥିଲା ‘ତାରିଣୀ ଗଣନାଟ୍ୟ’ର ‘ଅସୁରମାନଙ୍କ ସହର’। ଏହି ନାଟକଟିକୁ ରଚନା କରିଥିଲେ ଅଧ୍ୟାପକ ଚିନ୍ମୟ ଦାସ। ଏହି ନାଟକର ସଫଳତା ତାଙ୍କୁ ଯାତ୍ରାପ୍ରେମରେ ବାନ୍ଧି ଦେଇଥିଲା। ଆଉ ସେ ଇନିଂସ ପରେ ଇନିଂସ ଖେଳି ଚାଲିଲେ।

Share