କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ମଥୁରାନଗରୀ,୧୧ା୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଉଦଯାପନୀ ଦିବସରେ କଂସବଧ ଦୃଶ୍ୟାଭିନୟ ମୁଖ୍ୟ ଆକର୍ଷଣ ଥିଲା। ଅନୁକୁଳ ପାଗ ଓ କଳାକାରଙ୍କ ନିଖୁଣ ଅଭିନୟ ଯୋଗୁ ମଥୁରାନଗରୀ ଲୋକାରଣ୍ୟ ହୋଇ ପଡ଼ିଥିଲା। ମଥୁରା ପରିଭ୍ରମଣ ସାରି କଂସ ମହାରାଜା ସ୍ଥାନୀୟ ଲୋକମଣ୍ଡପ ପଡ଼ିଆସ୍ଥିତ ରାଜ ଦରବାରକୁ ଆସିଥିଲେ। ଶ୍ରୀକୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ସେ ନିଜର ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଆଦି ସୈନ୍ୟ ସାମନ୍ତଙ୍କ ସହିତ ରଣକୌଶଳ ପ୍ରସ୍ତୁତ କରିଥିଲେ। ଅନ୍ୟପଟେ ଶ୍ରୀକୃଷ୍ଣ ହାଟପଦା ମଞ୍ଚରେ ଶିବଧନୁ ଭଙ୍ଗ କରିଥିବାବେଳେ ତାଙ୍କ କରାଘାତରେ କୁବଳୟା ହସ୍ତୀ ପ୍ରାଣ ହରାଇଥିଲା। ବେନିଭାଇଙ୍କୁ ହତ୍ୟା କରିବାରେ ସେମାନେ ନିଶ୍ଚୟ ସକ୍ଷମ ହେବେ ବୋଲି କଂସ ମହାରାଜଙ୍କ ସେନାପତି, ମହାମନ୍ତ୍ରୀ, ଚାଣୁର, ମୁଷ୍ଟିକ ଦରବାରରେ ନିଜ ପରାକ୍ରମ ଦେଖାଇଥିଲେ। ସେହିପରି କଂସ ମହାରାଜ ମଧ୍ୟ ରାଣୀ ପଦ୍ମାବତୀଙ୍କ ବାରଣ ସତ୍ତ୍ବେ ନିଜର ପରାକ୍ରମ ଦେଖାଇବାକୁ ରଣାଙ୍ଗନକୁ ଓହ୍ଲାଇଥିଲେ। ମାତ୍ର ଶେଷରେ ଶ୍ରୀକୃଷ୍ଣଙ୍କ ସ୍ପର୍ଶ ଏବଂ ବଳରାମଙ୍କ ହଳଧର ମୁଦଗରରେ କଂସଙ୍କ ନିଧନ ହୋଇଥିଲା ଏବଂ ମହାରାଜା ଉଗ୍ରସେନଙ୍କ ପୁଣି ରାଜାଭିଷେକ ହୋଇଥିଲା। ସେହିପରି ଶ୍ରୀକୃଷ୍ଣ, ବଳରାମ ମଥୁରା କାରଗାରକୁ ଯାଇ ବନ୍ଦୀ ଥିବା ଦେବକୀ ଓ ବସୁଦେବଙ୍କୁ ମୁକ୍ତ କରିଥିଲେ। ଏହାପରେ ମଥୁରାବାସୀ ବାଣ ଫୁଟାଇ ଏବଂ ଲଡୁ ବାଣ୍ଟି ଖୁସି ମନାଇଥିଲେ। ଅନ୍ୟପଟେ କଂସ ଅଭିନେତା ବରଗଡ଼ ବ୍ଲକ ସରଲା ଗ୍ରାମର ଭୁବନେଶ୍ୱର ପ୍ରଧାନ ପାପରୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଥିଲେ। ଶନିବାର ସକାଳେ ସେ ପୁରୀରେ ପହଞ୍ଚି ମହୋଦଧିରେ ସ୍ନାନ ଓ ଶ୍ରୀକ୍ଷେତ୍ର ଦର୍ଶନ ସହିତ ଶଙ୍କରାଚାର୍ଯ୍ୟଠାରୁ ଆଶିଷ ଲୋଡ଼ିବାର କାର୍ଯ୍ୟକ୍ରମ ରହିଛି।

Share