କଂସ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ:ଉପଜିଲାପାଳଙ୍କୁ ଭେଟିଲେ ଓ୍ବାର୍ଡ ସଭ୍ୟାସଭ୍ୟ

କାଳିଆପାଣି,୨୦-୯(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ କଂସ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର କୁମାର ସାହୁଙ୍କ ବିରୋଧରେ ନାଏବ ସରପଞ୍ଚଙ୍କ ସମେତ ୮ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏ ନେଇ ଗୁରୁବାର ନାଏବ ସରପଞ୍ଚଙ୍କ ସହ ସମସ୍ତ ୱାର୍ଡ ସଭ୍ୟାସଭ୍ୟ ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ନାଏବ ସରପଞ୍ଚ ବେଲ ମୁଣ୍ଡାଙ୍କ ନେତୃତ୍ୱରେ ଗତ ୧୬ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତିରାଜ ନିୟମ ଅନୁଯାୟୀ ସରପଞ୍ଚ କାର୍ଯ୍ୟ ନ କରି ନିଜ ଇଚ୍ଛା ମୁତାବକ ବିଭିନ୍ନ କାର୍ଯ୍ୟ କରିବା, ଏକାଧିକ ଉନ୍ନୟନମୂଳକ କାର୍ଯ୍ୟକୁ ନିଜେ ଠିକାଦାରି କରିବା ଏବଂ ୨ ମାସ ହେବ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ଖସଡ଼ାର କୌଣସି ବୈଠକ କରା ନ ଯାଇ କିପରି ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ବୈଠକରେ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଅନାସ୍ଥା କରିବାକୁ ସହମତି ପ୍ରକାଶ ପାଇଥିଲା ା ସୁରେଶ ଦେହୁରୀ, ଚନ୍ଦମଣି ଦେହୁରୀ, ଟୁନା ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା, ସଞ୍ଜୟ ମୁର୍ମୁ, ଅଜୁ ମୁର୍ମୁ, ଜଗନ୍ନାଥ ସେଠୀ ପ୍ରମୁଖ ବୈଠକରେ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ଏହି ପଞ୍ଚାୟତରେ ୧୨ ଜଣ ୱାର୍ଡ ସଭ୍ୟାସଭ୍ୟ ରହିଛନ୍ତି।