କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର

କଟକ ଅଫିସ,୫ା୬: ତେର ବର୍ଷର ବାଳକ ରାଜରୋଶନ ଠାକୁର। ପଢ଼ାବହି ବଦଳରେ ତାଙ୍କ କାନ୍ଧରେ ଏବେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର। ୨ବର୍ଷ ହେବ ନିଜ ପରିବାର ପାଇଁ ସେ ହିଁ ସାହାରା ପାଲଟିଛନ୍ତି। ବାପା ରମେଶ ଠାକୁର ଦୁଇବର୍ଷ ହେବ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଘରେ ପଡ଼ିରହିଛନ୍ତି। ଅସୁସ୍ଥ ଥିବା ମା’ ସଞ୍ଜୁ ଦେବୀ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ନେଫ୍ରୋଲୋଜି ବିଭାଗରେ ୧୮ଦିନ ହେବ ଚିକିତ୍ସିତ ହେଉଛନ୍ତି। ମା’ ଓ ବାପାଙ୍କ ଚିକିତ୍ସା ସମେତ ଦୁଇ ଯାଆଁଳା ଭଉଣୀ ପାୟଲ ଓ ପରୀଙ୍କ ଦାୟିତ୍ୱ ଭାର ମଧ୍ୟ ରାଜରୋଶନଙ୍କ କାନ୍ଧରେ ରହିଛି।
ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ରାଜରୋଶନଙ୍କ ଘର। ବାପା ରମେଶ ଗୁପଚୁପ ବିକି ପରିବାର ଚଳାଉଥିଲେ। ୨ବର୍ଷ ତଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଲେ। ଅନେକ ଦିନ ଧରି ମେଡ଼ିକାଲରେ ଚିକିତ୍ସା ସତ୍ତ୍ୱେ ସେ ପକ୍ଷାଘାତରେ ଶଯ୍ୟାଶାୟୀ ପାଲଟିଗଲେ। ଏହାପରେ ରାଜରୋଶନ ଓ ମା’ ସଞ୍ଜୁଙ୍କ ଉପରେ ପରିବାର ଦାୟିତ୍ୱ ପଡ଼ିଥିଲା। ରାଜରୋଶନ ଭିକ୍ଷାବୃତ୍ତି କରି ପରିବାର ଚଳାଉଥିଲେ। ସେହି ଅର୍ଥରେ ବାପାଙ୍କ ପଥି, ଦୁଇ ଭଉଣୀଙ୍କ ପଢ଼ାଖର୍ଚ୍ଚ ଉଠୁଥିଲା। ଏହି ପରିବାରର ଦୁଃଖ ଲୋକଲୋଚନକୁ ଆସିବା ପରେ ଯାଜପୁର ଜିଲାପାଳ ସେମାନଙ୍କ ପାଇଁ ମାସିକ ୨ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ। କିନ୍ତୁ ରାଶନ କାର୍ଡ଼ କିମ୍ବା ଅନ୍ୟ କୌଣସି ସରକାରୀ ସୁବିଧା ସେମାନଙ୍କୁ ମିଳୁନାହିଁ। ବହୁ କଷ୍ଟରେ ଥିବାବେଳେ ଏବେ ମା’ ସଞ୍ଜୁ ଦେବୀ ଅସୁସ୍ଥ ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଘରେ ଦୁଇ ଭଉଣୀ ବାପାଙ୍କ ସେବାରେ ଲାଗିଥିବା ବେଳେ କଟକରେ ମା’ଙ୍କ ପାଖରେ ଅଛନ୍ତି ରାଜରୋଶନ। ସରକାରୀ ସହାୟତା ପାଇଁ ଏବେ ରାଜରୋଶନ ନିବେଦନ କରିଛନ୍ତି।

Share