କଏଦୀଙ୍କୁ କରୋନା ଭୟ: ମୁକୁଳିଲେ ୩୫ଶହ

କଟକ ଅଫିସ୍‌,୧୮ା୪: ରାଜ୍ୟରେ ଥିବା ଜେଲ୍‌ଗୁଡ଼ିକରେ ଅନ୍ତେବାସୀମାନେ କରୋନା ଭୂତାଣୁରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏଣୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ଜେଲ୍‌ଗୁଡ଼ିକର ସ୍ଥିତି ସମୀକ୍ଷାପରେ କଏଦୀଙ୍କୁ ମୁକୁଳାଇବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ମାର୍ଚ୍ଚ ୨୦ରୁ ଏପ୍ରିଲ୍‌ ୧୫ତାରିଖ ମଧ୍ୟରେ ବିଭିନ୍ନ ଜେଲ୍‌ରୁ ପ୍ରାୟ ୩୫ଶହ କଏଦୀ ମୁକୁଳିଛନ୍ତି। ସେମାନଙ୍କ ମଧ୍ୟରୁ ୩୧୯୦ଜଣ ଜାମିନ୍‌ ପାଇଥିବାବେଳେ ୧୦ଜଣ ପାରୋଲ୍‌ ଏବଂ ୨୮୧ଜଣଙ୍କୁ ସାମୟିକ ଛୁଟି ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଏମିତି ଅନ୍ତେବାସୀ ରହିଛନ୍ତି, ଯେଉଁମାନେ ୭ବର୍ଷରୁ କମ୍‌ ଦଣ୍ଡ ପାଇଛନ୍ତି। ଏପରି କି ଯେଉଁ ମାମଲାରେ ଦଣ୍ଡ ବ୍ୟବସ୍ଥା ୭ବର୍ଷରୁ କମ୍‌ ଥିବ । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ୍‌ ସେବା ପ୍ରାଧିକରଣ (ଓଏସ୍‌ଏଲ୍‌ଏସ୍‌ଏ)ର କାର୍ଯ୍ୟକାରୀ ଅଧ୍ୟକ୍ଷା ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକରେ ଡିଜି(ଜେଲ୍‌) ସନ୍ତୋଷ ଉପାଧ୍ୟାୟ ଏହି ତଥ୍ୟ ରଖିଛନ୍ତି । ବୈଠକରେ ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ। ସେହିଭଳି ବୈଠକରେ ସମସ୍ତ ୩୦ଟି ଜିଲାର ବିଚାରାଧୀନ କଏଦୀ ସମୀକ୍ଷା କମିଟିର ତଥ୍ୟ ହସ୍ତଗତ ହୋଇଛି। ରାଜ୍ୟରେ ମୋଟ ୨୨୩୯ଜଣ କଏଦୀ ଅସୁସ୍ଥ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୬୮୨ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କରୋନା ଭୂତାଣୁରେ ଆକ୍ରାନ୍ତ କୌଣସି କଏଦୀଙ୍କୁ ମୁକୁଳିବା ପାଇଁ ଅନୁମତି ଦିଆଯିବ ନାହିଁ। ଯେଉଁ କଏଦୀମାନେ ଜେଲ୍‌ରୁ ମୁକୁଳିଛନ୍ତି ଏବଂ ପରବର୍ତ୍ତି ସମୟରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି, ତେବେ ତାଙ୍କ ଚିକିତ୍ସା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏଥିସହ କଏଦୀଙ୍କୁ ମୁକୁଳାଇବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ସମସ୍ତ ଅଦେଶକୁ ପାଳନ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।

Share