କଖାରୁବଳି, ଝୁଣାହାଣ୍ଡି ପରମ୍ପରା

ଭଦ୍ରକ ଅଫିସ, ୭।୧୦ – ମା’ ଦଶଭୁଜାଙ୍କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଢଙ୍ଗରେ ପୂଜା କରାଯାଏ। ଭଦ୍ରକରେ ବିଭିନ୍ନ ପୂଜା ମଣ୍ଡପରେ ପରମ୍ପରା ଅନୁଯାୟୀ ମା’ଙ୍କ ପୂଜା ପାଳିତ ହୋଇଅସୁଛି। ଚରମ୍ପା ଏରେଇଁସ୍ଥିତ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା କମିଟି ଦ୍ୱାରା ବାସନ୍ତୀ ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା ଅବସରରେ କଖାରୁ ବଳି ଦେବା ପରମ୍ପରା ଟିକେ ନିଆରା। ଗାଁର ଶତାଧିକ ଲୋକ ମା’ଙ୍କ ନିକଟରେ କଖାରୁ ଦାନ କରିଥିଲେ। ବାଦ୍ୟ ବାଜଣା ଭିତରେ ମା’ଙ୍କୁ ଏହି କଖାରୁ ବଳି ଦିଆଯାଇଛି। ଏହି ବଳି ସମୟରେ ବିଭିନ୍ନ ମାନସିକ କରିଥିଲେ ମାନସିକଧାରୀ। କମିଟି ସମ୍ପାଦକ ଜୟନ୍ତ କୁମାର ସେନାପତି, ଯୁଗ୍ମ ସମ୍ପାଦକ ଶ୍ୟାମସୁନ୍ଦର ଗୁପ୍ତା, ଭାଗବତ ପାଢୀ, ନାରାୟଣ ଚନ୍ଦ୍ର ବିଶ୍ୱାଳ, ମୁକ୍ତିକାନ୍ତ ପ୍ରଧାନଙ୍କ ସମେତ ଅନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ସେହିଭଳି ସନ୍ଥିଆଠାରେ ମା’ ଦୁର୍ଗାଙ୍କ ନିକଟରେ ବଙ୍ଗୀୟ ପରମ୍ପରାରେ ପୂଜାର୍ଚ୍ଚନା କରାଯାଇ ଆସୁଛି। ଏଠି ପୂଜାର ମୁଖ୍ୟ ଆକର୍ଷଣ ଝୁଣାଦୀପ। ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହି ପୀଠରେ ଅଷ୍ଟମୀରେ ପୂଜାର୍ଚ୍ଚନା କରିବା ସହ ମହିଳାମାନେ ମୁଣ୍ଡରେ ମାଟିହାଣ୍ଡିରେ ଝୁଣା ଜଳାଇ ମା’ଙ୍କ ସମ୍ମୁଖରେ ବସି ସ୍ମରଣ କଲେ ମନସ୍କାମନା ପୂରଣ ହେବା ସାଙ୍ଗକୁ ପରିବାରରେ ସୁଖଶାନ୍ତି ରହିଥାଏ ବୋଲି ବିଶ୍ୱାସ ରହିଛି। ଏଣୁ ଶତାଧିକ ମହିଳା ଏଥିରେ ସାମିଲ ହୋଇଥିଲେ। ଏଠାରେ ବଙ୍ଗୀୟ ପରମ୍ପରା ଅନୁସାରେ ହେଉଥିବା ପୂଜାକୁ ଉଭୟ ସମ୍ପ୍ରଦାୟର ଲୋକ ମିଳିମିଶି ପାଳନ କରୁଛନ୍ତି। ପୂଜା କାର୍ଯ୍ୟକ୍ରମରେ ଜିଲା ଓ ଜିଲା ବାହାରୁ ଅନେକ ମାନସିକଧାରୀ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

Share