Categories: ରାଜ୍ୟ

କଙ୍ଗାରୁ କୋର୍ଟରେ ପରିବାର ସଦସ୍ୟ ଦଣ୍ଡିତ: ଖଟବିଦ୍ୟାରେ ହୋଇଥିଲେ ଦୋଷୀ ସାବ୍ୟସ୍ତ

ନୟାଗଡ଼ ଅଫିସ,୧୩ା୬: ନୟାଗଡ଼ ଜିଲା ରଣପୁର ଥାନା ରାଜସୁନାଖଳା ପଞ୍ଚାୟତର କୋଟଗଡ଼ ଗ୍ରାମରେ କଙ୍ଗାରୁ କୋର୍ଟ କରି ଏକ ପରିବାରକୁ ଦଣ୍ଡ ଦିଆଯାଇଛି। ଖଟବିଦ୍ୟା ମାଧ୍ୟମରେ ଉକ୍ତ ପରିବାରକୁ ଦୋଷୀ ସାବ୍ୟସ୍ତ କରାଯାଇ ଆକ୍ରମଣ କରାଯାଇଛି। ଏଥିରେ ୩ଜଣ ଆହତ ହୋଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ସୁଫଳ ନ ପାଇବାରୁ ପରିବାର ଲୋକେ ବୁଧବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ମେ’ ୧୮ ତାରିଖରେ କୋଟଗଡ଼ ଗ୍ରାମର ଭାସ୍କର ଦୋରାଙ୍କ ଘରୁ ଲୁଟ୍‌ ହୋଇଥିଲା। ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଭାସ୍କର ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିଲା। ଭାସ୍କର ଏ ନେଇ ଗ୍ରାମରେ ଜଣାଇଥିଲେ। ଗାଁ ଲୋକେ କଙ୍ଗାରୁ କୋର୍ଟ କରି ଚୋର ଧରିବା ପାଇଁ ଖଟ ବୁଲାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅନୁଯାୟୀ ଗତ ୧୦ ତାରିଖରେ ଗ୍ରାମରେ ଖଟ ବୁଲାଯାଇଥିଲା। କିଛି ସମୟ ଖଟ ବୁଲିବା ପରେ ଗ୍ରାମର ଗୀତାଞ୍ଜଳି ଦୋରାଙ୍କ ଘରେ ଲାଗିଥିଲା। ତେଣୁ ସେ ଚୋରି କରିଥିବା ସନ୍ଦେହ କରି ରାତି ୮ଟାରେ ଗୀତାଞ୍ଜଳିଙ୍କ ଘରକୁ ସ୍ଥାନୀୟ କେତେଜଣ ଭଦ୍ରଲୋକ ଯାଇ ପଚରାଉଚରା କରିଥିଲେ। ଗୀତାଞ୍ଜଳି ଚୋରି କରି ନ ଥିବା କହିଥିଲେ। ପରଦିନ ଅର୍ଥାତ୍‌ ୧୧ ତାରିଖରେ ଗ୍ରାମରେ ଆଉଥରେ ବୈଠକ ବସିଥିଲା। ଉକ୍ତ ବୈଠକରେ ମଧ୍ୟ ଗୀତାଞ୍ଜଳି ଚୋରି କରି ନ ଥିବା ପ୍ରକାଶ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଭାସ୍କରଙ୍କ ସହ ଅନ୍ୟମାନେ ଉଠି ପଳାଇବାରୁ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ଅପରାହ୍ନ ୨ଟା ୩୦ରେ ଭାସ୍କର, ସ୍ତ୍ରୀ ଦମୟନ୍ତୀ, ଭାଇ କୁସୁନି ଓ ତାଙ୍କ ସ୍ତ୍ରୀ ଗୋଲାପ ଗୀତାଞ୍ଜଳିଙ୍କ ଘରକୁ ଆସିଥିଲେ। ସମସ୍ତେ ଲୁହାରଡ୍‌ ଓ କଟୁରିରେ ଗୀତାଞ୍ଜଳ, ତାଙ୍କ ନଣନ୍ଦ ତୁଳସୀ ଦୋରା, ଭଉଣୀ ଟୁକୁନି ଦୋରାଙ୍କୁ ଆକ୍ରମଣ କରିଥିଲେ। ସମସ୍ତେ ଏଥିରେ ଆହତ ହୋଇଥିଲେ। ସେହି ରାତିରେ ଆହତମାନେ ରାଜସୁନାଖଳା ମେଡ଼ିକାଲରେ ଚିକିତ୍ସିତ ହୋଇଥିଲେ। ଗ୍ରାମରେ ଜୀବନ ପ୍ରତି ବିପଦ ଥିବାରୁ ଏମାନେ ଏଣେତେଣେ ଲୁଚିଛପି ରହୁଛନ୍ତି। ବୁଧବାର ଗୀତାଞ୍ଜଳି ଓ ତାଙ୍କ ପରିବାର ଲୋକେ ଏ ନେଇ ଏସ୍‌ପିଙ୍କଠାରେ ଅଭିଯୋଗ କରିବାକୁ ଆସିଥିଲେ। ହେଲେ ଏସ୍‌ପି ଅନୁପସ୍ଥିତ ଥିବାରୁ ତାଙ୍କସହ ଦେଖା ହୋଇପାରି ନ ଥିଲା। ଉଭୟ ଦମୟନ୍ତୀ ଓ ଗୀତାଞ୍ଜଳିଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ରଣପୁର ଥାନା ଅଧିକାରୀ ବୈଦ୍ୟନାଥ ଭୋଇ ପ୍ରକାଶ କରିଛନ୍ତି। ଦମୟନ୍ତୀଙ୍କ ଅଭିଯୋଗକୁ ଆଧାର କରି ଥାନାରେ ୧୨୮/୧୯ରେ ମାଲା ରୁଜୁ କରାଯାଇଛି। ଗୀତାଞ୍ଜଳିଙ୍କ ପରିବାର ଲୋକେ ତାଙ୍କୁ ଆକ୍ରମଣ କରିଥିବା ଦମୟନ୍ତୀ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଗୀତାଞ୍ଜଳିଙ୍କ ଅଭିଯୋଗକୁ ଆଧାର କରି ଥାନାରେ ୧୨୯/୧୯ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଭୋଇ ପ୍ରକାଶ କରିଛନ୍ତି। ଦିନ ଦ୍ୱିପ୍ରହରରେ ଖଟବିଦ୍ୟା ମାଧ୍ୟମରେ ଜଣଙ୍କୁ ନିର୍ଯାତନା ଦେବା ଓ ମାଡ଼ ମାରିବା ଘଟଣା ଜିଲା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

Share