କଟକଣାରେ କିନ୍ନରଙ୍କ କଷ୍ଟମୟ ଜୀବନ: ବେପାର ବାଟ ରୋକିଛି ଲକ୍‌ଡାଉନ

କଟକ ଅଫିସ,୧୦।୫: ଦେଶରେ କରୋନା ଭୂତାଣୁ ଦିନକୁ ଦିନ କରାଳ ରୂପ ନେବାରେ ଲାଗିଛି। ସଂକ୍ରମଣ ସଂଖ୍ୟା କମୁ ନ ଥିବାରୁ ସରକାର ଲକଡାଉନ ଅବଧି ବଢ଼ାଇ ଦେଇଛନ୍ତି। ଏହାଯୋଗୁ ଦିନମଜୁରିଆ, ଶ୍ରମିକ, ଗରିବଙ୍କ ଅବସ୍ଥା ଜଟିଳ ହୋଇପଡୁଥିବାବେଳେ କିନ୍ନରମାନଙ୍କ ଅବସ୍ଥା ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲକଡାଉନ ଯୋଗୁ ସବୁ ବନ୍ଦ ହୋଇଯାଇଥିବା ବେଳେ ଜୀବନ କଷ୍ଟମୟ ହୋଇଯାଇଛିି। ଏପରିକି ବେପାରର ସବୁ ବାଟ ରୋକି ଦେଇଛି ଲକଡାଉନ। ଦିନଟିଏ ଖାଦ୍ୟ ଯୋଗାଡ଼ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି କିନ୍ନରମାନେ କହିଛନ୍ତି। ମାଲଗୋଦାମ ଅଞ୍ଚଳରେ ରହିଛି କିନ୍ନରମାନଙ୍କ ଏକ ବସ୍ତି। ଏହି ବସ୍ତିରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ କିନ୍ନର ରୁହନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନରେ କାର୍ଯ୍ୟ କରି, ଛୋଟ ବ୍ୟବସାୟ କରି ଏମାନେ ପେଟ ପୋଷନ୍ତି। ଲକଡାଉନ ହେବାପରଠାରୁ ଏମାନଙ୍କ ରୋଜଗାରର ମାଧ୍ୟମ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ସେମାନେ ଘରକୁ ଫେରି ପାରୁ ନ ଥିବାବେଳେ ଚଳିବା ପାଇଁ ଅର୍ଥାଭାବର ମଧ୍ୟ ସମ୍ମୁଖୀନ ହୋଇଛନ୍ତି। ଏହି ବସ୍ତି ସମେତ କଲେଜଛକ, ଶଙ୍କରପୁର, ସାଆନ୍ତସାହି ଓ ସହରର ଅନ୍ୟ ଅଞ୍ଚଳରେ ମଧ୍ୟ କିନ୍ନର ରହୁଥିବା ଦେଖିବାକୁ ମିଳେ। ଏମାନେ ପ୍ରାୟତଃ କଟକ ଜିଲା ସମେତ ଆଖପାଖ ବିଭିନ୍ନ ଜିଲାର ଅଟନ୍ତି। ଏମାନଙ୍କ ମଧ୍ୟରେ ଅନେକ ଉଚ୍ଚଶିକ୍ଷିତ ମଧ୍ୟ ରହିଛନ୍ତି। ଯେଉଁମାନେ ଚାକିରି ପାଇ ନାହାନ୍ତି ସେମାନେ ବାଧ୍ୟ ହୋଇ ଭିନ୍ନ ବୃତ୍ତି ଆପଣାଇଛନ୍ତି। ଲକଡାଉନ ସମୟରେ ମାତ୍ର ଗୋଟିଏ ଥର ମାଲଗୋଦାମ ବସ୍ତିରେ ସିଏମ୍‌ସି ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଇଥିଲା ବୋଲି ଏଠାକାର ବାସିନ୍ଦା କୁହନ୍ତି। ଲକଡାଉନ ଜାରି ରହିଲେ ଜୀବନ ଦୁର୍ବିଷହ ହୋଇଯିବ ବୋଲି କହିଛନ୍ତି।

(ଅଶୋକ ବାରିକ)

Share