Categories: ମେଟ୍ରୋ

କଟକଣା ଉଲ୍ଲଂଘନ: ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ୨୧ଜଣ ଗଣିଲେ ଜରିମାନା

ଭୁବନେଶ୍ୱର,୫।୬(ବ୍ୟୁରୋ): କରୋନା କଟକଣାକୁ ଉଲ୍ଲଂଘନ କରି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଓ ଦଳୀୟ କର୍ମୀ ଜରିମାନା ଗଣିଛନ୍ତି। ଦଳୀୟ ସାଂଗଠନିକ କାର୍ଯ୍ୟ ପାଇଁ ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଘରେ ସମସ୍ତେ ଏକାଠି ହୋଇଥିଲେ। ସାମାଜିକ ଦୂରତ୍ୱ ନ ମାନି ଓ ମାସ୍କ ନ ପିନ୍ଧି କର୍ମୀଙ୍କ ଗ୍ରହଣରେ ଏମ୍‌ପି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଛାଡିଥିଲେ। ଏହି ଫଟୋ ଦେଖିବା ପରେ କମିଶନରେଟ ପୋଲିସ ଏମ୍‌ପି ଅପରାଜିତାଙ୍କଠାରୁ ୧୦୦ ଟଙ୍କା ଜରିମାନା କରିଥିବା ଭୁବନେଶ୍ୱର ଡିସିପି ଟ୍ବିଟ୍‌ କରି ଜଣାଇଛନ୍ତି। ସେହିପରି ସେଠାରେ ଥିବା ୨୧ଜଣ ଭାଜପା କର୍ମୀଙ୍କୁ ଚିହ୍ନଟ କରାଯାଇ ଜରିମାନା କରାଯାଇଥିବା ଡିସିପି ଉଲ୍ଲେଖ କରିଛନ୍ତି। ଏପରିକି ସମସ୍ତେ ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବାକୁ ଡିସିପି ଅନ୍ୟ ଦଳୀୟ କର୍ମୀମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ଏପରି ଭୁଲ୍‌ ପାଇଁ ଏମ୍‌ପି ଷଡ଼ଙ୍ଗୀ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଜରିମାନା ଦେଇଥିବା ଟ୍ବିଟ୍‌ କରି ଜଣାଇଛନ୍ତି। ଅନ୍ୟପଟରେ ଏହି ଘଟଣାକୁ ନେଇ ଏମ୍‌ପିଙ୍କ ନାମରେ କ୍ୟାପିଟାଲ ଥାନାରେ ଏକାଧିକ ସଂଗଠନ ଅଭିଯୋଗ କରିଛନ୍ତି। ସେମାନେ ଉଲ୍ଲଖ କରିଛନ୍ତି ଯେ, ଏମ୍‌ପି କୋଭିଡ଼ ନିୟମକୁ ନ ମାନି କର୍ମୀଙ୍କ ସହ ମିଳାମିଶା କରୁଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।

Share