କଟକଣା କୋହଳ ନେଇ ସର୍ତ୍ତ ରଖିଲେ ରାଜ୍ୟ ସରକାର: ସହରାଞ୍ଚଳରେ ଖୋଲିବନି ମଲ୍‌, ଦୋକାନରେ ରହିବେ ୫୦% କର୍ମଚାରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲଗାଯାଇଥିଲା। ହେଲେ ଶନିବାର ଏହାକୁ କିଛି ମାତ୍ରାରେ କୋହଳ କରାଯାଇଛି। ତେବେ ଏହି ସମ୍ପର୍କରେ ରାଜ୍ୟ ସରକାର କିଛି ସର୍ତ୍ତ ରଖି ଆଉ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ତଦନୁଯାୟୀ, କେବଳ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜିକୃତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଗ୍ରାମାଞ୍ଚଳରେ ରେସିଡେନ୍‌ସିଆଲ କଂପ୍ଲେକ୍ସ, ମାର୍କେଟ କମ୍ପ୍ଲେକ୍ସ ଖୋଲାଯାଇପାରିବ। ହେଲେ ମଲ୍‌ଡି ବ୍ରାଣ୍ଡ କିମ୍ବା ସିଙ୍ଗଲ ବ୍ରାଣ୍ଡ ମଲ୍‌ ଖୋଲା ଯାଇପାରିବ ନାହିଁ। ସେହିଭଳି ସହରାଞ୍ଚଳରେ ଗୋଟିଗୋଟିକିଆ ଦୋକାନ ଖୋଲାଯାଇପାରିବ। ବିଶେଷକରି ସାହି, ଗଳିରେ ଥିବା ଦୋକାନ, ରେସିଡେନ୍ସିଆଲ କମ୍ଲେକ୍ସ ଖୋଲାଯିବ। ହେଲେ କୌଣସି ମଲ୍‌ ଖୋଲାଯାଇପାରିବ ନାହିଁ। ଦୋକାନଗୁଡ଼ିକରେ ୫୦% କର୍ମଚାରୀ ରହିବେ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ। ଏହାଛଡ଼ା ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ଗ୍ରାମାଞ୍ଚଳର ସପିଂ ମଲ୍‌କୁ ଛାଡ଼ି ଅନ୍ୟସବୁ ଦୋକାନ ଖୋଲିବ। ସେହିପରି ସହରାଞ୍ଚଳ ମାର୍କେଟ କମ୍ପ୍ଲେକ୍ସ ଓ ସପିଂ ମଲ୍କୁ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲିବ। ପୂର୍ବଭଳି ଇ-କମର୍ସ କମ୍ପାନୀଗୁଡିକ ଜରୁରୀ ସାମଗ୍ରୀ ବିକ୍ରି କରିପାରିବେ। ତେବେ ମଦ ବିକ୍ରି ଉପରେ ପୂର୍ବଭଳି କଟକଣା ଜାରି ରହିବ। ହଟ୍ସ୍ପଟ କିମ୍ବା ମଣ୍ଟେନମେଣ୍ଟ ଜୋନ୍ରେ କୌଣସି ଦୋକାନ ଖୋଲିବ ନାହିଁ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।

Share