କଟକଣା କୋହଳ ପରେ ଟ୍ରାଫିକ ଜାମ୍‌

ବାଙ୍ଗାଲୋର,୨୫ା୪: କର୍ନାଟକ ସରକାର ରାଜ୍ୟରୁ କୋଭିଡ-୧୯ ମୁକାବିଲା ପାଇଁ ଜାରି କରିଥିବା କଟକଣାକୁ କେତେକ ସ୍ଥାନରେ ଗୁରୁବାରଠାରୁ ଆଂଶିକ ଭାବେ କୋହଳ କରିବା ପରେ ଶୁକ୍ରବାର ସକାଳେ ବହୁ ସଂଖ୍ୟାରେ ଗାଡ଼ି ରାସ୍ତାରେ ଦେଖିବାକୁ ମିଳିଥିଲା। ଏଥିଯୋଗୁ କିଛି ସ୍ଥାନରେ ଟ୍ରାଫିକ ଜାମ୍‌ ହୋଇଥିବା ମଧ୍ୟ ଜଣାଯାଇଥିଲା। ଏହାକୁ ନେଇ କର୍ନାଟକ କଂଗ୍ରେସ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। ସରକାରଙ୍କ ଅବ୍ୟବସ୍ଥା ଯୋଗୁ ଏପରି ହୋଇଥିବା ରାଜ୍ୟ କଂଗ୍ରେସ ଟୁଇଟ୍‌ କରି ଅଭିଯୋଗ କରିଛି।
ଆଇଟି ଏବଂ ଆଇଟି ସମ୍ପର୍କିତ ସେବାକୁ ଅତ୍ୟାବଶ୍ୟକ ତଥା ସର୍ବନିମ୍ନ କର୍ମଚାରୀଙ୍କ ଦ୍ୱାରା ଚାଲୁକରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ସେହିପରି କେତେକ ନିର୍ମାଣ କାର୍ଯ୍ୟ, ପ୍ୟାକେଜିଂ ସାମଗ୍ରୀ ଉତ୍ପାଦନ, କୋରିୟର ସର୍ଭିସ ଆଦି ପାଇଁ ମଧ୍ୟ କର୍ନାଟକ ସରକାର ଅନୁମତି ଦେଇଛନ୍ତି। ଜନସାଧାରଣଙ୍କ ଅସୁବିଧାକୁ ହ୍ରାସ କରିବାକୁ କେତେକ ଅତିରିକ୍ତ ସେବା ତଥା କାର୍ଯ୍ୟକୁ ଅନୁମତି ଦିଆଯିବା ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଟିଏମ୍‌ ବିଜୟ ଭାସ୍କର ଏକ ନିର୍ଦ୍ଦେଶନାମା ମାଧ୍ୟମରେ ସୂଚନା ଦେଇଥିଲେ। ଏହି ସେବାଗୁଡିକ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମାବଳୀ ଆଧାରରେ ଆବଦ୍ଧାଞ୍ଚଳ ମୁକ୍ତ ଭାବେ ଘୋଷିତ ସ୍ଥାନଗୁଡିକରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏଥିସହ ସାମାଜିକ ଦୂରତା ରକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଏହି କଟକଣାକୁ ସାମାନ୍ୟ କୋହଳ ନେଇ ଘୋଷଣା ହେବା ପରେ ସେଠାରେ ପୂର୍ବଭଳି ବହୁମାତ୍ରାରେ ଯାନବାହନ ଚଳାଚଳ ଆରମ୍ଭ କରିଛି।

Share