କଟକଣା ଫାଙ୍କି କାମ

ବଇଣ୍ଡା, ୩ା୪(ଡି.ଏନ.ଏ.) – କରୋନା ମୁକାବିଲା ପାଇଁ ଲକ୍‌ଡାଉନ ସହ ସାମାଜିକ ଦୂରତା ରକ୍ଷା ଭଳି ବିଭିନ୍ନ କଟକଣା ଜାରି ହୋଇଥିଲେ ହେଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁବଇଣ୍ଡା ପଞ୍ଚାୟତ ବଡହୁଲାଠାରେ ଥିବା ରାଇସ୍‌ ମିଲ୍‌ରେ ଏହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ମିଲ୍‌ରେ କେତେଜଣ ଶ୍ରମିକଙ୍କୁ କାମରେ ଲଗାଯାଇଥିବା ବେଳେ ସେମାନଙ୍କୁ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ଏ ନେଇ ସ୍ଥାନୀୟ ସରପଞ୍ଚ ମାନସ ସାହୁ ଗୁରୁବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ଘରୁ ନ ବାହାରିବାକୁ ସଚେତନ କରାଉଥିବାବେଳେ ବଡହୁଲାଠାରେ ଥିବା ସରକାରୀ ରାଇସ ମିଲ୍‌ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବୁଧବାର ଉକ୍ତ ମିଲ୍‌ରେ ୨ଟି ଟ୍ରକ୍‌ରେ ଆସିଥିବା ଚାଉଳ ବସ୍ତା ଅନ୍‌ଲୋଡ କରିବାକୁ ୨୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରେ କିପରି ସାମାଜିକ ଦୂରତା ବଜାୟ ରହିବ ଓ ଶ୍ରମିକମାନେ ମାସ୍କ, ଗ୍ଲୋବ୍ସ ଆଦି ବ୍ୟବହାର କରିବ ସେ ନେଇ ଦୃଷ୍ଟି ଦିଆଯାଇ ନ ଥିଲା। ଏପରିକି ଶ୍ରମିକମାନଙ୍କୁ ସୁରକ୍ଷା ସାମଗ୍ରୀ ଦେବାକୁ ମିଲ୍‌ କର୍ମଚାରୀଙ୍କୁ ସରପଞ୍ଚ କହିଥିଲେ ହେଁ କେହି ଶୁଣି ନ ଥିବା ସେ ଅଭିଯୋଗ କରିଛନ୍ତି। ଜିଲାପାଳ ଏପରି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ କୁହନ୍ତି, ଲକ୍‌ଡାଉନ୍‌ ବେଳେ ବଡହୁଲାଠାରେ ଥିବା ରାଇସ୍‌ ମିଲ୍‌ରେ ଶ୍ରମିକ ନିୟୋଜିତ ହେବା ଠିକ୍‌ ନୁହେଁ। ଏ ସମ୍ପର୍କରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।

Share