କଟକଣା ସତ୍ତ୍ୱେ କାର୍ଯ୍ୟକ୍ରମ

ବନ୍ତ,୧୪।୩(ଡି.ଏନ.ଏ.): ସମଗ୍ର ବିଶ୍ୱରେ ଏବେ କରୋନା ଭୟ ଲାଗି ରହିଥିବାବେଳେ ରାଜ୍ୟ ସରକାର ଏହି ମହାମାରୀକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ସ୍କୁଲ, କଲେଜକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବା ସହିତ ସିନେମା ହଲ, ସୁଇମିଂ ପୁଲ୍‌ ଓ ସମସ୍ତ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏପରି କି ଗୋଟିଏ ସ୍ଥାନରେ ଜନଗହଳି ନ ହେବା ପାଇଁ ସରକାରୀ ଭାବେ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଏଭଳି କଟକଣା ସତ୍ତ୍ୱେ ଶନିବାର ବନ୍ତ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଆଧାର କାର୍ଡ ପାଇଁ ସମ୍ପୃକ୍ତ ସଂସ୍ଥାର କର୍ମଚାରୀମାନେ ମହିଳାମାନଙ୍କୁ ଏକତ୍ର କରି ଫଟୋ ଉଠାଉଥିବା ଅଭିଯୋଗ ହୋଇଥିଲା। ଆଧାର ଫଟୋ ଉଠାଇବାକୁ ପୂର୍ବାହ୍ନ ୧୦ଟାଠାରୁ ଅପରାହ୍ନ ପର୍ଯ୍ୟନ୍ତ ଏଠାରେ ଶତାଧିକ ମହିଳାଙ୍କ ଭିଡ଼ ଜମିଥିଲା। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବାରୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ସମ୍ପୃକ୍ତ ସଂସ୍ଥାର କର୍ମଚାରୀଙ୍କୁ କହିଥିଲେ। କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ପରେ ଆଧାର ଫଟୋ ଉଠା କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁପ୍ରସାଦ ପାତ୍ର କହିଛନ୍ତି।