କଟକଣା ସହ ଖୋଲିବ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ଏଥିଯୋଗୁ ଉଚ୍ଚଶିକ୍ଷା କ୍ଷେତ୍ର ଓ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଗୁରୁତର ପ୍ରଭାବିତ ହୋଇଛି। ତେଣୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ କେତେକ କଟକଣା ସହିତ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଜଣାଇଛନ୍ତି।
ନିର୍ଦ୍ଦେଶ ମୁତାବକ, ଗ୍ରୁପ୍‌-‘ଏ’ର ସମସ୍ତ ଟିଚିଂ, ନନ୍‌ ଟିଚିଂ ଷ୍ଟାଫ୍‌ ଦୈନିକ ଅଫିସ ଆସିବେ। ଗ୍ରୁପ୍‌ ‘ବି’, ‘ସି’ ଓ ‘ଡି’ କର୍ମଚାରୀଙ୍କ ମଧ୍ୟରୁ ୩ ଭାଗରୁ ୧ ଭାଗ ଅଫିସ ଆସିବାକୁ ଚିଠିରେ ଉଲ୍ଲେଖ ରହିଛି। କାର୍ଯ୍ୟାଳୟରେ ସାମାଜିକ ଦୂରତା ଓ ସ୍ବଚ୍ଛତା ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ତେବେ ବିଶ୍ୱବିଦ୍ୟାଳୟ ଖୋଲିଲେ ମଧ୍ୟ କୌଣସି ଛାତ୍ରୀଛାତ୍ର ଆସିବେ ନାହିଁ। ପ୍ରତ୍ୟକ୍ଷ ଭାବେ କୌଣସି ଶିକ୍ଷାଦାନ ନ କରିବାକୁ ପରାମର୍ଶ ଦିଆଯିବା ସହ ଆବଶ୍ୟକ ପଡ଼ିଲେ ଅନ୍‌ଲାଇନରେ କ୍ଲାସ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଥିଓରି, ପ୍ରାକ୍ଟିକାଲ କ୍ଲାସ, ସେମିନାର, ଓ୍ବାର୍କଶପ୍‌ ଆଦିକୁ ଅନ୍‌ଲାଇନରେ କରାଯିବ। ଏଥିସହ ଏବେ କୌଣସି ପରୀକ୍ଷା କରାଯିବ ନାହିଁ। ଯେକୌଣସି ସଟ୍‌ ନୋଟିସ୍‌ ପିରିୟଡ୍‌ରେ ପରୀକ୍ଷା ହୋଇପାରେ। ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି କୌଣସି ପିଲା ହଷ୍ଟେଲରେ ରହିପାରିବେ ନାହିଁ ଓ ବିନା ଅନୁମତିରେ ବିଶ୍ୱବିଦ୍ୟାଳୟକୁ ଆସିପାରିବେ ନାହିଁ। ଅନ୍ୟପକ୍ଷରେ ଯେଉଁ ସବୁ ପରୀକ୍ଷା ସରିଛି ତାହାର ମୂଲ୍ୟାଙ୍କନ ହେବ। ତେବେ ଜୋନ୍‌ ସ୍ତରୀୟ ମୂଲ୍ୟାଙ୍କନକୁ ଅନୁମତି ନାହିଁ। ହେଲେ ଅନ୍‌ଲାଇନରେ ପିଏଚ୍‌ଡି ମୌଖିକ ସାକ୍ଷାତ୍‌ କରାଯିବ ବୋଲି ଉକ୍ତ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି।

Share