କଟକବାସୀଙ୍କ ଲାଗି ପାଇଲଟ ପ୍ରୋଜେକ୍ଟ, ପ୍ରତି ଘରକୁ ମିଳିବ ଗୋଟିଏ ବାଲ୍‌ଟି: ପ୍ରତାପ ଜେନା

କଟକ ଅଫିସ,୧୨।୬: କଟକବାସୀଙ୍କ ଲାଗି ସରକାରଙ୍କ ନୂଆ ଯୋଜନା। ଅଳିଆ ଆବର୍ଜନାକୁ ଏଣେ ତେଣେ କିମ୍ବା ନାଳ ନର୍ଦ୍ଦମାରେ ନ ଫିଙ୍ଗିବା ଲାଗି ନୂଆ ପନ୍ଥା ଅବଲମ୍ବନ କରିବାକୁ ଯାଉଛନ୍ତି ସରକାର। ଏଥିରେ ପ୍ରତି ଘରକୁ ମିଳିବ ଗୋଟିଏ ଗୋଟିଏ ବାଲ୍‌ଟି। ସେ ପୁଣି ପାଣି ରଖିବାକୁ ନୁହେଁ ଅଳିଆ ଉଠାଇବା ଲାଗି। କଟକ ସହରକୁ ସରସ ସୁନ୍ଦର କରିବା ପାଇଁ ଏକ ପାଇଲଟ ପ୍ରୋଜେକ୍ଟ କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବିଶେଷକରି ବର୍ଷାଦିନେ କଟକର ଜଳବନ୍ଦି ସମସ୍ୟାକୁ ନେଇ ମନ୍ତ୍ରୀ ଜେନା ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି।

କଟକ ସହର ଭିତରେ ଡ୍ରେନ୍‌ ପରିଷ୍କାର କରିବା ଉପରେ ଗୁରୁତ୍ୱ ଦିଆଯିବ। ଜାଇକା ଦ୍ୱାରା ଚାଲିଥିବା କାମ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇ ପ୍ରତି ଘରକୁ ଅଳିଆ, ଆବର୍ଜନା ଉଠାଇବା ଲାଗି ଗୋଟିଏ ଗୋଟିଏ ବାଲ୍‌ଟି ଦିଆଯିବ। ସିଏମ୍‌ସି କର୍ମଚାରୀ ଘର ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରିବେ। ଏହା କଟକ ସହରରେ ସଫଳ ହେବା ପରେ ସାରା ଓଡ଼ିଶାରେ କାର୍ଯ୍ୟକାରୀ ହେବ ବୋଲି ଜେନା କହିଛନ୍ତି।

Share