ଠାକୁରମୁଣ୍ଡା,୧ା୫(ଡି.ଏନ୍.ଏ.)-କଟକ ସିଡିଏ ଅଞ୍ଚଳରେ ରହି ଶ୍ରମିକ ଭାବରେ କାମ କରୁଥିବା ଜଣେ ୨୭ ବର୍ଷୀୟ ଆଦିବାସୀ ଯୁବକ ଲକ୍ଡାଉନରେ ଫସି ରହି ଶେଷରେ ଚାଲି ଚାଲି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାରେ ପହଞ୍ଚିଛନ୍ତି। ୩ ଦିନ କାଳ ଦୀର୍ଘ ୧୫୦ କି.ମି ବାଟ ଚାଲି ଚାଲି ତାଙ୍କ ପାଦ ଫୋଟକା ପଡ଼ିଯିବା ସହ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଚାଲି ନ ପାରି ବୁଧବାର ଠାକୁରମୁଣ୍ଡା ନିକଟ ଜୁଆଳିକଟା ଛକ ନିକଟରେ ବସି ରହିଥିତ୍ବା ବେଳେ ସ୍ଥାନୀୟ ପ୍ରଶାସନ ତାଙ୍କୁ ଉଦ୍ଧାର କରିଥିଲା। ଆମ୍ବୁଲାନ୍ସ ଯୋଗେ ପ୍ରଥମେ ତାଙ୍କୁ ଠାକୁରମୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ଠାକୁରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଖୋଲାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରଖା ଯାଇଛି। ସମ୍ପୃକ୍ତ ଯୁବକଙ୍କ ଘର ଠାକୁରମୁଣ୍ଡା ଠାରୁ ୧୦୦ କି.ମି ଦୂର ରାଇରଙ୍ଗପୁର ଥାନା ଅଧୀନ ବଟଡୁମା ବୋଲି ଜଣାପଡ଼ିଛି।