କଟକରେ ଏନକାଉଣ୍ଟର: ଅଭିଯୁକ୍ତ ବୁଦ୍ଧିଆ ଆହତ

କଟକ ଅଫିସ,୧୧ା୯: ପୂଜାକୁ ନେଇ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ବୁଧବାର ପୂର୍ବାହ୍ନରେ ଜଣେ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୋଲିସ ଏନ୍‌କାଉଣ୍ଟର କରିଛି। ଏଥିରେ ଅଭିଯୁକ୍ତ ସିଡ଼ିଏ ସେକ୍ଟର-୧୩ ମୁଣ୍ଡାସାହିର ବୁଦ୍ଧିଆ ଦାସ(୨୮) ଆହତ ହୋଇଛନ୍ତି। ତାଙ୍କ ନିକଟରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି ଓ ମାଗାଜିନ ଜବତ କରାଯାଇଛି। ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ଭାବେ ବୁଦ୍ଧିଆ କାର୍ଯ୍ୟ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ଡିସିପି ଅଖିଳେଶ୍ୱର ସିଂ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ୨୨ତମ ଏନକାଉଣ୍ଟର। ଏହାଛଡ଼ା ଚଳିତବର୍ଷର ଏହା ୩ୟ ଏନକାଉଣ୍ଟର। ଗତ ମାର୍ଚ୍ଚ ୧୯ରେ ଯୋବ୍ରା ନିକଟରେ ଓ ଅଗଷ୍ଟ ୨୧ରେ ଜଗତ୍‌ପୁର କେନ୍ଦ୍ରାପଡ଼ା କେନାଲ ରୋଡ଼ ନିକଟରେ କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଏନକାଉଣ୍ଟର ହୋଇଛି।
ପୋଲିସ ସୂତ୍ରରୁ ପ୍ରକାଶ, ବୁଦ୍ଧିଆଙ୍କ ନାମରେ ପୂର୍ବରୁ କଟକର ବିଭିନ୍ନ ଥାନାରେ ଆପରାଧିକ ମାମଲା ରହିଛି। ଦାଦାବଟି ଓ ଟେଣ୍ଡର ଫିକ୍ସିଂ ଘଟଣାରେ ସେ ସହରରେ ବେଶ୍‌ ସକ୍ରିୟ ଥିଲେ। ଗତ ୩ ତାରିଖରେ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ବୁଦ୍ଧିଆ ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରୁଥିଲେ। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ଆଇପିସି ଧାରା ୩୪୧, ୨୯୪, ୩୮୬, ୫୦୬ ଅନୁଯାୟୀ ପୋଲିସ ଏକ ମାମଲା(ନଂ.୨୮୯/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏପରି କି ପୂର୍ବରୁ ଏଭଳି ଭାବେ ବନ୍ଧୁକ ଦେଖାଇ ବୁଦ୍ଧିଆ ଦାଦାବଟି ଆଦାୟ କରୁଥିବା ପୋଲିସ ଅଭିଯୋଗପତ୍ରରେ ଦର୍ଶାଯାଇଥିଲା। ବୁଧବାର ଭୋର ସମୟରେ ବୁଦ୍ଧିଆ ସେକ୍ଟର-୧୩ ଠାରେ ନିର୍ମାଣାଧୀନ ଏକ କୋଠାରେ ଲୁଚି ରହିଛି ବୋଲି ପୋଲିସ ଖବର ପାଇଥିଲା। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନିକଟ ରାସ୍ତାରେ ଜାଲ ବିଛାଇଥିଲା। ପରେ ଚାଉଳିଆଗଞ୍ଜ ଆଇଆଇସି ଦୀପକ ମିଶ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଉକ୍ତ ନିର୍ମାଣାଧୀନ କୋଠା ନିକଟରେ ପହଞ୍ଚିଥିଲା। ଏହା ଦେଖିବା ପରେ ବୁଦ୍ଧିଆ ଖସିଯିବାକୁ ଉଦ୍ୟମ କରିବା ସହ ପାଖରେ ରଖିଥିବା ପିସ୍ତଲରୁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏଥିରେ କନଷ୍ଟେବଳ ବିଶ୍ୱଜିତ ସାମନ୍ତରାୟ ଆହତ ହୋଇଛନ୍ତି। ପରେ ଆଇଆଇସି ଦୀପକ ନିଜ ସର୍ଭିସ୍‌ ରିଭଲଭର୍‌ରୁ ପାଲଟା ଗୁଳି ଚାଳନା କରିବାରୁ ବୁଦ୍ଧିଆଙ୍କ ବାମଗୋଡ଼ରେ ଗୁଳିଟି ବାଜିଥିଲା। ଫଳରେ ପୋଲିସ ସେଠାରୁ ତାଙ୍କୁ କାବୁ କରି ଚିକିତ୍ସାଲାଗି ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ବୁଦ୍ଧିଆଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ କହିଛି।

Share