Categories: ଖେଳ

କଟକରେ ଓଡ଼ିଶା ଏଫ୍‌ସିର ଚୟନ ଶିବିର

କଟକ ଅଫିସ,୨୫।୧- ସ୍ଥାନୀୟ ସତ୍ୟବ୍ରତ ଷ୍ଟାଡିୟମରେ ଓଡିଶା ଏଫ୍‌ସିର ଜୁନିୟର ଖେଳାଳି ଚୟନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩, ୧୫ ଓ ୧୮ବର୍ଷରୁ କମ୍‌ ବୟସ ବର୍ଗର ୩୦୦ ବାଳକ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ପ୍ରାୟ ୧୦୦ ଖେଳାଳି ପରବର୍ତ୍ତୀ ପର୍ଯ୍ୟାୟକୁ ବଛାଯିବେ। ପୂର୍ବରୁ ଭୁବନେଶ୍ୱରରେ ଓଡ଼ିଶା ଏଫ୍‌ସିର ଜୁନିୟର ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଉଭୟ ଶିବିରକୁ ଆଧାର କରି ଜୁନିୟର ଓଡ଼ିଶା ଏଫ୍‌ସି ଦଳ ଖୁବଶୀଘ୍ର ଚୂଡ଼ାନ୍ତ କରାଯିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ଏହି ଦଳ ଆସନ୍ତା ସଂସ୍କରଣର ବିଭିନ୍ନ ଟୁର୍ନାମେଣ୍ଟରେ ଭାଗ ନେବ। ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌ ଥାଙ୍ଗବୋଇ ସିଙ୍ଗଟୋ ଶିବିରରେ ଉପସ୍ଥିତ ରହି କହିଥିଲେ ଯେ, ତୃଣମୂଳସ୍ତରରୁ ଖେଳାଳି ବାଛିବା ଆମ କ୍ଲବର ଲକ୍ଷ୍ୟ। ଜୁନିୟର ବର୍ଗରୁ ପ୍ରତିଭାବାନ ଖେଳାଳି ବାଛିବା ଆରମ୍ଭ କରିଛୁ। ରାଜ୍ୟ ସରକାରଙ୍କ ସହଯୋଗ ଜାରି ରହିଛି। କଟକରେ ଏହା ପ୍ରଥମ ପର୍ଯ୍ୟାୟ ଚୟନ ଶିବିର। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବେ କରାଯିବ ବୋଲି ସିଙ୍ଗଟୋ କହିଛନ୍ତି। ଓଡ଼ିଶା ଏଫ୍‌ସିର ମୁଖ୍ୟ ଫୁଟବଲ ଉନ୍ନୟନ ଅଧିକାରୀ ଆକାଶ ନାରୁଲା କହିଥିଲେ ଯେ, ଜୁନିୟର ଓ ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବା ଓଡ଼ିଶା ଏଫ୍‌ସିର ମୂଳ ଲକ୍ଷ୍ୟ। ଏହି ଖେଳାଳିମାନେ ଉଚ୍ଚମାନର ପ୍ରଶିକ୍ଷଣ ହାସଲ କରି ଆଗାମୀ ଦିନରେ ଜାତୀୟ ତଥା ବିଭିନ୍ନ ନାମିଦାମୀ କ୍ଲବରେ କିପରି ଦେଖିବାକୁ ମିଳିବେ ସେଥିନିମନ୍ତେ ପ୍ରଚେଷ୍ଟା କରାଯିବ। ଏହି ଅବସରରେ ଗ୍ରାସରୁଟ କୋଚ୍‌ ସୌରଭ ଭିରଡ଼ି, ସେଖ୍‌ ସହନୱାଜ ଆଲାମ, ଐଶ୍ୱର୍ୟନ ପିଲାଇ, ସହକାରୀ ଗ୍ରାସରୁଟ ମ୍ୟାନେଜର ଶୁଭମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share