କଟକରେ କ୍ରିକେଟ୍‌ କ୍ରେଜ୍‌: ସୀମା ଟପିଲା ଟିକେଟ କଳାବଜାର

କଟକ ଅଫିସ, ୨୨।୧୨: କଟକ ବାରବାଟୀ ଷ୍ଟାଡ଼ିୟମରେ ରବିବାର ଅନୁଷ୍ଠିତ ହେବ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନ୍ତିମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌। ଏ ନେଇ ସହରରେ କ୍ରିକେଟ କ୍ରେଜ୍‌ ଦେଖିବାକୁ ମିଳିଛି। ଶନିବାର ଉଭୟ ଦଳ ବାରବାଟୀ ଷ୍ଟାଡ଼ିୟମରେ ଅଭ୍ୟାସ କରିଥିଲେ। ଏହାକୁ ଦେଖିବା ପାଇଁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଜମିଥିଲା। ମୁଖ୍ୟତଃ ଇ-ଟିକେଟ୍‌ ଓ କାଉଣ୍ଟରରୁ ଟିକେଟ କ୍ରୟ କରିବାରେ ଅସମର୍ଥ ହୋଇଥିବା ବହୁ ବ୍ୟକ୍ତି ଷ୍ଟାଡ଼ିୟମ ଚାରିପଟେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା। ସେମାନେ ଯେନତେନ ପ୍ରକାରେ ଟିକେଟ କିଣିବାକୁ ପ୍ରୟାସ ଚଳାଇଥିଲେ। ଏହାର ସୁଯୋଗ ନେଇ କେତେଜଣ ଅସାଧୁ ବ୍ୟକ୍ତି ଟିକେଟର ନିର୍ଦ୍ଧାରିତ ମୂଲ୍ୟଠାରୁ ୪/୫ଗୁଣା ଅଧିକ ମୂଲ୍ୟରେ ବିକ୍ରି କରିବାକୁ ପଛାଇ ନ ଥିଲେ। ଗତ ଦିନରେ ଏଠାରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ଟିକେଟ କଳାବଜାର ହୋଇଥିଲେ ମଧ୍ୟ ଚଳିତଥର ଏହା ସୀମା ଟପିଛି। କ୍ରିକେଟ ପ୍ରେମୀମାନେ ୪୦୦ ଟଙ୍କାର ଟିକେଟକୁ ୨ ହଜାରରୁ ଅଢ଼େଇ ହଜାର ଟଙ୍କା ଦେଇ କିଣିଥିବା ଜଣାପଡିଛି। ସେହିପରି ଗ୍ୟାଲେରିକୁ ଛାଡ଼ି କର୍ପୋରେଟ୍‌ ବକ୍ସ, ସ୍ପେଶାଲ ଏନ୍‌କ୍ଲୋଜର, ଭିଆଇପି ବକ୍ସ, ନିୟୂ ପ୍ୟାଭିଲିୟନର ଟିକେଟ୍‌ଗୁଡ଼ିକ ୩୦୦୦ରୁ ୫୦୦୦ ଟଙ୍କାରେ ଦର୍ଶକମାନେ କିଣିଛନ୍ତି। ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର କେତେଜଣ ପୂର୍ବତନ ପଦାଧିକାରୀ, ଅନୁବନ୍ଧିତ କ୍ଲବର କର୍ମକର୍ତ୍ତା ଓ ଷ୍ଟାଡିୟମରେ କାର୍ଯ୍ୟରତ କେତେଜଣ କର୍ମଚାରୀ ଟିକେଟ କଳାବଜାର କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ୧ ଓ ୩ ନଂ. ଗ୍ୟାଲେରିର ଚାହିଦା ଅଧିକ ଥିବାରୁ ୭୦୦ ଟଙ୍କାର ଏହି ଟିକେଟ୍‌ ୩୫୦୦ରୁ ୪୦୦୦ ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ଫଳରେ ଅଧିକ ମୂଲ୍ୟ ଦେଇ ଟିକେଟ କ୍ରୟ କରିପାରୁ ନ ଥିବା ଦର୍ଶକଙ୍କୁ ଏଥିପାଇଁ ନିରାଶ ହେବାକୁ ପଡ଼ିଛି। ଗତ ୧୯ ତାରିଖରେ କାଉଣ୍ଟରରେ ଟିକେଟ ବିକ୍ରି କରାଯାଇଥିଲା। କାଉଣ୍ଟରରେ ୧୦ହଜାର ଟିକେଟ ଉପଲବ୍ଧ ଥିବା ଓସିଏ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ମାତ୍ର ଟିକେଟ୍‌ କିଣିବାକୁ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ରାତି ଅନିଦ୍ରା ହୋଇ ଲାଇନ୍‌ରେ ଛିଡ଼ା ହୋଇଥିଲେ। ଫଳରେ ଅନେକ ବ୍ୟକ୍ତି ଟିକେଟ ନ ପାଇ ନିରାଶ ହୋଇଥିଲେ। ଅନ୍ୟପକ୍ଷରେ କିଛି ବ୍ୟକ୍ତି ଦିନମଜୁରିଆଙ୍କୁ ଟଙ୍କା ଦେଇ ଧାଡ଼ିରେ ଛିଡ଼ା କରାଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତିମାନେ ଉକ୍ତ ଟିକେଟକୁ ଚଢା ଦରରେ ବିକ୍ରି କରିଥିବା ଦେଖିବାକୁ ମିଳିଛି। ରବିବାର ଏହି ଟିକେଟ୍‌ଗୁଡ଼ିକର ମୂଲ୍ୟ ଆହୁରୀ ଅଧିକ ହେବ ବୋଲି ଆଶା କରାଯାଉଛି। ତେବେ ଟିକେଟ କଳାବଜାରିକୁ ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଜାଣିବା ପାଇଁ କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ଯୋଗାଯୋଗ କରାଯିବାରୁ ସେ ଫୋନ୍‌ ଉଠାଇ ନ ଥିଲେ।

Share