କଟକରେ କଡ଼ା କଟକଣା: ଗ୍ରୀନ କରିଡରରେ ଆସିଲେ ଗର୍ଭବତୀ

କଟକ ଅଫିସ୍‌, ୪ା୪- ସଟ୍ ଡାଉନରେ ଫସିଥିବା ଜଣେ ଗର୍ଭବତୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପୋଲିସ ପ୍ରସ୍ତୁତ କରିଥିଲା ଗ୍ରୀନ କରିଡର । ରାସ୍ତା ଉପରୁ ହଟିଗଲା ସମସ୍ତ ବ୍ୟାରିକେଡ୍ । ଗର୍ଭବତୀ ଜଣଙ୍କ କିପରି ତୁରନ୍ତ ମେଡ଼ିକାଲରେ ପହଚିଂବେ ସେଥି ନିମନ୍ତେ ପୋଲିସ ଯୁଦ୍ଧକାଳୀନ ପରସ୍ଥିତିରେ ସମସ୍ତ ବ୍ୟବସ୍ଥା କରିଥିଲା । ଶନିବାର ଅପରାହ୍ନରେ କଟକରେ ଏହି ଘଟଣା ଘଟିଥିବା ବେଳେ ଏଥିରେ ନେତୃତ୍ୱ ନେଇଥିବା ଏସିପି ସେଖ ସରିଫୁଦ୍ଦିନଙ୍କୁ ଡିସିପି ଅଖିଳେଶ୍ୱର ସିଂ ପ୍ରଶଂସା କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଗର୍ଭବତୀ ମହିଳା ଓ ତାଙ୍କ ସମ୍ପର୍କୀୟମାନେ ଏକ କାର ଯୋଗେ ସିଡ଼ିଏ ପାଶ୍ୱର୍ରୁ ବକ୍ସିବଜାରର ଏକ ନର୍ସିଂହୋମକୁ ଯାଉଥିଲେ । ଅପରାହ୍ନରେ ହଠାତ୍ ଗର୍ଭବତୀ ଜଣଙ୍କ ଅସହ୍ୟ ଯନ୍ତ୍ରଣା ପାଇଥିଲେ । ଫଳରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଅପେକ୍ଷା ନକରି କାର ଯୋଗେ ଏକ ଘରୋଇ ମେଡ଼ିକାଲକୁ ଆଣିବା ପାଇଁ ଯୋଜନା କରିଥିଲେ । ବାଲୁବଜାର ଛକ ଅତିକ୍ରମ କରିବା ପରେ କାର୍‌ଟିକୁ ପୋଲିସ ନୟାସଡ଼କ ନିକଟରେ ଅଟକାଇଥିଲା । ସେଠାରେ ଉପସ୍ଥିତ ଥିବା ଏସିପି ସରିଫୁଦ୍ଦିନ ଘଟଣା ସମ୍ପର୍କରେ ଜାଣିବା ପରେ ଡିସିିପିଙ୍କ ଅଖିଳେଶ୍ୱର ସିଂଙ୍କ ସହ ଆଲୋଚନା କରି ଏକ ଗ୍ରୀନ କରିଡର ବ୍ୟବସ୍ଥା କରିବାକୁ କହିଥିଲେ । ପରେ ବକ୍ସିବଜାର ପର୍ଯ୍ୟନ୍ତ ରାସ୍ତାରୁ ବ୍ୟାରିକେଡକୁ ହଟାଇ ଦିଆଯାଇଥିଲା ।

Share