କଟକରେ ବଢୁଛି କ୍ରେଜ : ପସନ୍ଦରେ ଯୋଗଡ୍ୟାନ୍ସ

କଟକ ଅଫିସ, ୨୧।୬ : ନୀରୋଗ ଜୀବନଯାପନ କରିବାର ମାଧ୍ୟମ ହେଉଛି ଯୋଗ। ଯୋଗ ଦ୍ୱାରା କେବଳ ଶାରୀରିକ ନୁହେଁ ମାନସିକ ଭାବେ ମଧ୍ୟ ଲୋକମାନେ ନୀରୋଗ ହେଉଛନ୍ତି। ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ। ତେବେ କଟକ ସହରରେ ଏବେ ଯୋଗର କ୍ରେଜ୍‌ ବେଶ୍‌ ଅଧିକ। ଗତ ବର୍ଷଗୁଡ଼ିକ ତୁଳନାରେ ଅଧିକମାତ୍ରାରେ ଲୋକ ଏବେ ଯୋଗ ସହ ଜଡ଼ିତ। ଛୋଟଛୋଟ ପିଲା ମଧ୍ୟ ଯୋଗ ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଯୋଗାସନ ମାଧ୍ୟମରେ ଡ୍ୟାନ୍ସ ହିଁ ପିଲାଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରୁଛି।
୧୯୯୮ ଅଗଷ୍ଟ ୮ ତାରିଖରେ କଟକରେ ଆରମ୍ଭ ହୋଇଥିଲା ବାରବାଟୀ ଯୋଗ ଆସୋସିଏଶନ। ସତ୍ୟବ୍ରତ ଷ୍ଟାଡିୟମରେ ପ୍ରାତଃଭ୍ରମଣ କରୁଥିବା କେତେଜଣ ବରିଷ୍ଠ ବ୍ୟକ୍ତି ଏହି ଆସୋସିଏଶନ ଗଠନ କରିବାକୁ ଚିନ୍ତା କରିଥିଲେ। ଗୌରମୋହନ କର, ବଟକୃଷ୍ଣ ତ୍ରିପାଠୀ, ରାମଚନ୍ଦ୍ର ସାହୁ, ରଘୁନାଥ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ କେତେଜଣ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଗଠନ ହୋଇଥିଲା ଆସୋସିଏଶନ। ପ୍ରଥମେ ବରିଷ୍ଠ ବ୍ୟକ୍ତିମାନେ ସକାଳ ସମୟରେ ଏଠାରେ ଯୋଗାଭ୍ୟାସ କରୁଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୩ରେ ଛୋଟଛୋଟ ପିଲାଙ୍କୁ ଯୋଗ ପ୍ରଶିକ୍ଷଣ ଦେବାକୁ ଯୋଜନା ହୋଇଥିଲା। ପ୍ରଥମେ କିଛି ମାସ ଜଣେ ପିଲାକୁ ନେଇ ଆରମ୍ଭ ହୋଇଥିଲା ପ୍ରଶିକ୍ଷଣ ଶିବିର। ମାତ୍ର ଏବେ ଏଠାରେ ଅଛନ୍ତି ୪୦ରୁ ଉର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀ। ସ୍କୁଲ ଥିବାରୁ ଛୋଟ ପିଲାଙ୍କ ପାଇଁ ଅପରାହ୍ନରେ ଯୋଗ ପ୍ରଶିକ୍ଷଣ ଦିଆଯାଉଛି। ଆର୍ଟିଷ୍ଟିକ ଓ ରିଦ୍ଦିମିକ ଯୋଗ ଡ୍ୟାନ୍ସ ଦ୍ୱାରା ଅଧିକରୁ ଅଧିକ ବାଳିକାବାଳକ ଏବେ ଯୋଗ ଶିଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଆସୋସିଏଶନ ପକ୍ଷରୁ କୁହାଯାଇଛି। ଏପରି କି ଏହି ଆସୋସିଏଶନର ପ୍ରଶିକ୍ଷାର୍ଥୀ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି।

Share