କଟକରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସର ତଦନ୍ତ, ସନ୍ଦେହ ଘେରରେ ଘର ବାହାରେ ଥିବା ଜୋତା

କଟକ ଅଫିସ,୧୩।୧୨: କଟକ ନୂଆବଜାର ଅଞ୍ଚଳରେ ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାରେ ଶୁକ୍ରବାର ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହ ପହଞ୍ଚି ଯାଞ୍ଚ କରିଛି। ଘରେ ପଡ଼ିଥିବା ରକ୍ତଛିଟାରୁ ରକ୍ତନମୂନା ସଂଗ୍ରହ କରାଯିବା ସହ ଦମ୍ପତି ବ୍ୟବହାର କରୁଥିବା ଫୋନକୁ ପୋଲିସ ଜବତ କରିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ କେହି ପରିଚିତ ଲୋକ ତାଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।

ନୂଆବଜାର ବେଲେଶ୍ୱର ଶିବ ମନ୍ଦିରଠାରୁ ୨ଶହ ମିଟର ଦୂରରେ ରହିଛି ମୃତ ଦମ୍ପତି ଶ୍ରୀନାଥ(୭୦) ଓ ବିଦୁଲତା ସାମଲ(୬୫)ଙ୍କ ଘର। ଶ୍ରୀନାଥ ଜଣେ ଏଫ୍‌ସିଆଇର ଅବସରପ୍ରାପ୍ତ କର୍ମଚାରୀ। ସେମାନଙ୍କର ୪ଜଣ ଝିଅ ଓ ଗୋଟିଏ ପୁଅ। ବିବାହ ପରେ ଝିଅମାନେ ବାହାରେ ରହୁଥିବା ବେଳେ ପୁଅ ଚେନ୍ନାଇରେ ରୁହନ୍ତି। ଏଣୁ ଉକ୍ତ ଘରେ ଦମ୍ପତି ଏକା ରହୁଥିବା ବେଳେ ଘରର ଆଉ ଏକ ଘର ଭଡ଼ାରେ ଲାଗିଥିଲା। ହେଲେ କିଛିଦିନ ପୂର୍ବରୁ ଭଡ଼ାଟିଆ ଛାଡ଼ିଦେଇଥିଲେ। ଏପରିସ୍ଥଳେ କିଏ ଏବଂ କାହିଁକି ଦମ୍ପତିଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଘର ବାହାରେ ଦୁଇ ହଳ(ଗୋଟିଏ ମହିଳା ଓ ଗୋଟିଏ ପୁରୁଷ) ଜୋତା ପଡ଼ିଥିବା ଦେଖାଯାଇଛି। ଏହା ଦମ୍ପତିଙ୍କର ହୋଇ ନ ଥିବାରୁ ହତ୍ୟାକାରୀଙ୍କ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଦୁଇଜଣ ଝିଅ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ପ୍ରାଥମିକକ ଭାବେ ଲୁଟ୍‌ପାଟ୍‌ ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଥିଲା। ହେଲେ ଝିଅମାନେ ବିଦୁଲତା ପାଖରେ ବେଶି ସୁନା ରଖୁ ନ ଥିବା କହିଛନ୍ତି। ଉଭୟଙ୍କ ଅଧିକ ଟଙ୍କା ମଧ୍ୟ ନ ଥିଲା। ଏପରିକି ବୃଦ୍ଧାଙ୍କ ବେକରେ ଚେନ୍‌ ଥିବାରୁ ଲୁଟ୍‌ପାଟ୍‌ ଉଦ୍ଦେଶ୍ୟରେ ହତ୍ୟା କରାଯାଇ ନ ଥାଇପାରେ କୁହାଯାଉଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

ସୂଚନାଯୋଗ୍ୟ, ମଧୁପାଟଣା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ବନ୍ଦ କୋଠରୀରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ପାରିପାଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରିଥିଲା। ରାତି ଅଧିକ ହୋଇଥିବାରୁ ମୃତଦେହ ପଡ଼ିଥିବା କୋଠରୀକୁ ଲକ୍‌ କରାଯାଇଥିଲା। ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ଉକ୍ତ ଘରକୁ ଖୋଲାଯାଇ ତଦନ୍ତ କରାଯାଉଛି।

Share