କଟକରେ ଭାଇଚାରା ସବୁବେଳେ ମିଳିବ

କଟକ ସହ ସମ୍ପର୍କ ଯୋଡ଼ିବା ଲୋକେ ଖୁବ୍‌ କମ୍‌। ହେଲେ ଯିଏ ସମ୍ପର୍କ ଯୋଡ଼ିଛି ସେ ଏହାର ଅସଲି ମଜା ପାଇଛି। ଏହି ସହର ଓ ସହରବାସୀଙ୍କୁ ଭୁଲିବାର ପ୍ରଶ୍ନ ଉଠେନି। ଏ ମାଟିର ବାସ୍ନାରେ ଭରି ରହିଥିବା ଭାଇଚାରାକୁ ନିଭେଇବା ପାଇଁ କଟକିଆମାନେ ସବୁବେଳେ ତତ୍ପର। ଏ କଥା କହିଛନ୍ତି ଓଲିଉଡ୍‌ର ଆଗଧାଡ଼ିର କଳାକାର କୁନା ତ୍ରିପାଠୀ।

ପିଲାଦିନରୁ ଆଜି ଯାଏ କଟକିଆ ଭାବେ କଟକରେ ଅନେକ ଅନୁଭୂତି ରହିଛି। ଆଉ ସବୁ ଯାକ ଅନୁଭୂତି ନିଆରା। କିଛି ବର୍ଷ ତଳେ ଏକ ବିଳମ୍ବିତ ରାତିରେ ଭୁବନେଶ୍ୱରର ଜଣେ ବନ୍ଧୁଙ୍କ ଫୋନ୍‌ କଲ୍‌ ଆସିଲା। ଫୋନ୍‌ ସେ ପାଖରୁ ବନ୍ଧୁଜଣଙ୍କ ଅସ୍ତବ୍ୟସ୍ତ ହୋଇ ପଡୁଥିବା ଭଳି ଲାଗୁଥିଲେ। ଖବର ପାଇଲି ଯେ, ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇ ଏସ୍‌ସିବି ମେଡ଼ିକାଲକୁ ଆସୁଛନ୍ତି। ତାଙ୍କ ଖବର ପାଇ ମୁଁ ଆଉ ମୋର ଜଣେ ବନ୍ଧୁ ମେଡ଼ିକାଲରେ ପହଞ୍ଚିଲୁ। ଆମ୍ବୁଲାନ୍ସ ତାଙ୍କୁ ଆଣି ମେଡ଼ିକାଲରେ ପହଞ୍ଚାଇଥିଲା। ସେ ପହଞ୍ଚିବା ପୂର୍ବରୁ ଆମେ ସବୁ ବନ୍ଦୋବସ୍ତ କରି ସାରିଥାଉ। କିଭଳି ଭଲ ଚିକିତ୍ସା ପାଇବେ ସେଥିପାଇଁ ଡାକ୍ତରଙ୍କ ଠାରୁ ଆରମ୍ଭ କରି ମେଡ଼ିକାଲ କର୍ମଚାରୀଙ୍କ ସହ କଥା ହୋଇ ସାରିଥିଲୁ। ଆହତ ଯୁବକଜଣଙ୍କୁ ଭେଟିଲା ବେଳେ ତାଙ୍କୁ ଏକ ହାଫ ପ୍ୟାଣ୍ଟ ଆଉ କିଛି ଟଙ୍କା ଦେଇଥିଲୁ। ମେଡ଼ିକାଲରେ କିଛି ଦିନ ଚିକିତ୍ସା ହେବା ପରେ ଯୁବକ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲେ। ଇତି ମଧ୍ୟରେ ତାଙ୍କ ସହ ନିୟମିତ ଯୋଗାଯୋଗ ରଖିଥିଲୁ। ଯେଉଁଦିନ ଡିସ୍‌ଚାର୍ଜ ହେଲେ ସେଦିନ ତାଙ୍କୁ ଭେଟିବା ବେଳେ ସେ କାନ୍ଦିକାନ୍ଦି ମୋତେ କୁଣ୍ଢାଇ ପକାଇଥିଲେ। ସମ୍ପର୍କର ଲୋକ ନହୋଇ ବି ଏଭଳି ସାହାଯ୍ୟକୁ କେବେ ଭୁଲି ପାରିବିନି ବୋଲି କହିଥିଲେ। ଅଧିକ କିଛି ନକହି ଉକ୍ତ ଯୁବକଜଣଙ୍କୁ ମୋର ଗୋଟିଏ ପଦ କଥା ଥିଲା ଯେ, କଟକରେ କିଛି ମିଳୁ କି ନ ମିଳୁ ସାରାଜୀବନ ଏଠାରେ ତୁମକୁ ଭାଇଚାରା ମିଳିବ।

Share