କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣା: ସୁରାକ ମିଳିଲା, ଜରିିଗୋଟାଳି ଅଭିଯୁକ୍ତ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): କଟକରେ ୩ଜଣଙ୍କୁ ଗଳାକାଟି ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସୁରାକ ପାଇଛି ପୋଲିସ। ସେ ଜଣେ ଜରିଗୋଟାଳି ଓ ମାନସିକ ରୋଗୀ ବୋଲି ଜଣାପଡିଛି। ଘଟଣା ପରେ ସହରରେ ପୋଲିସ ପାଟ୍ରୋଲିଂ ଦେଖି ସେ ଫେରାର ଥିବା ପୋଲିସ ଜାଣିବାକୁ ପାଇଛି। ତାଙ୍କୁ ଧରିବା ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଚଢାଉ କରାଯାଉଛି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ କିଛିଦିନ ହେବ କଟକ ଏସ୍‌ସିବି ମେଡିକାଲର ମାନସିକ ରୋଗ ବିଭାଗରେ ଚିକିତ୍ସିତ ହେଉଥିଲେ। ପାରିବାରିକ ଅଶାନ୍ତି ପାଇଁ ସେ ମାନସିକ ଭାରସାମ୍ୟ ହରାଇଥିବା ପୋଲିସ ତଦନ୍ତରୁ ଅନୁମାନ କରୁଛି । ୨୪ ଘଣ୍ଟାରେ ୩ ହତ୍ୟାକାଣ୍ଡ ଘଟିବା ପରେ ପୋଲିସ ହତ୍ୟାକାରୀଙ୍କୁ ଧରିବାକୁ ଜୋରଦାର ଉଦ୍ୟମ କରିଥିଲା। ୩ଜଣଙ୍କୁ ସମାନ ଢଙ୍ଗରେ ଅର୍ଥାତ୍‌ ଗଳାକୁ ଛୁରିରେ କାଟିବା ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ୩ ମୃତକ ଦିନମଜୁରିଆ ଥିଲେ। ସେମାନେ ଫୁଟ୍‌ପାଥରେ ଶୋଉଥିଲେ। ଏଭଳି ଦିନ ମଜୁରିଆଙ୍କୁ ହତ୍ୟା କରିବା ପଛର କାରଣ କ’ଣ ସେନେଇ ପୋଲିସ ଖୋଳତାଡ କରିଥିଲା। ଏନେଇ ପୋଲିସ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସହ ଆଲୋଚନା କରିବାରୁ ହତ୍ୟାକାଣ୍ଡ ପଛରେ ସାଇକୋ କିଲରର ସମ୍ପୃକ୍ତି ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଏହାପରେ ପୋଲିସ ଜଣେ ମନସ୍ତତ୍ତ୍ୱବିତ୍‌ଙ୍କ ସହ ଆଲୋଚନା କରିଥିଲା। ଶେଷରେ ପୋଲିସ ଏସ୍‌ସିବି ମେଡିକାଲ ଯାଇ ମାନସିକ ରୋଗ ବିଭାଗରେ ଚିକିତ୍ସିତ ହେଉଥିବା ୧୨ଜଣଙ୍କ ତଥ୍ୟ ନେଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ବିଭିନ୍ନ ସମୟରେ ମହିଳା ରୋଗୀ ଓ ସମ୍ପର୍କୀୟଙ୍କ ଅନ୍ତବସ୍ତ୍ର ଚୋରି କରି ରଖିବା ସହ ଡାକ୍ତର ଏବଂ ନର୍ସଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଜଣାପଡ଼ିଥିଲା। ଏପରି କି ସେ ଗତ କିଛିଦିନ ହେବ ମେଡିକାଲରୁ ଫେରାର ହୋଇଯାଇଥିବା ପୋଲିସ ଜାଣିବାକୁ ପାଇବା ପରେ ସେ ହିଁ ଅଭିଯୁକ୍ତ ବୋଲି ଚିହ୍ନଟ କରିଥିଲା। ପୋଲିସ ତାଙ୍କ ଘର ଠିକଣାରେ ପହଞ୍ଚତ୍ବାବେଳେ ସେ ସେଠାରେ ନ ଥିବା ଜଣାପଡ଼ିଥିଲା। ଉକ୍ତ ବ୍ୟକ୍ତି ଜଣକ କଟକର ଏକ ବସ୍ତିରେ ରହିବା ସହ ଜରି ଗୋଟାଇ ଗୁଜରାଣ ମେଣ୍ଟାଉଥିଲେ। କେଉଁ କାରଣରୁ ସେ ଦିନମଜୁରିଆଙ୍କୁ ଟାର୍ଗେଟ କରିଥିଲେ ତାହା ଜାଣିବା ପାଇଁ ଉତ୍କଣ୍ଠା ରହିଥିବା କମିଶନର ମହାନ୍ତି କହିଛନ୍ତି।

Share