କଟକରେ ୩ ଜଣଙ୍କ ଗଳାକାଟି ହତ୍ୟା ମାମଲା: ନାରାୟଣଙ୍କ ସ୍ତ୍ରୀଙ୍କ ପକ୍ଷରୁ ମାମଲା ରୁଜୁ

କଟକ ଅଫିସ, ୮ା୮: କଟକରେ କିଛିଦିନ ତଳେ ୨୪ଘଣ୍ଟା ମଧ୍ୟରେ ୩ଜଣଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ନୟାଗଡ଼ ଅଞ୍ଚଳର ନାରାୟଣ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନାରାୟଣ ଓଏମ୍‌ପି ଅଞ୍ଚଳରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ପୋଲିସ କହିଥିଲା। ତେବେ ନାରାୟଣଙ୍କ ସ୍ତ୍ରୀ ଗୀତାଞ୍ଜଳି ଏହାକୁ ବିରୋଧ କରି ବୁଧବାର କଟକ ଜେଏମ୍‌ଏଫ୍‌ସିରେ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି, ନାରାୟଣ ଜୁଲାଇ ୨୨ରେ ଭୁବନେଶ୍ୱର ସାଲିଆସାହି ସ୍ଥିତ ତାଙ୍କ ଭଉଣୀଙ୍କ ଘରେ ଥିଲେ। ଏହାର ପରଦିନ ସେ ରହୁଥିବା ଗଞ୍ଜାମ ଜିଲା କୁମ୍ପାପଡ଼ା ଘରକୁ ଯାଇଥିଲେ। ୨୪ରେ ସେ ନୟାଗଡ଼ ସୁନାମୁହିଁ ସ୍ଥିତ ତାଙ୍କ ପୈତୃକ ଘରକୁ ଯାଇଥିଲେ। ତେଣୁ ଏହି ସବୁ ଅଞ୍ଚଳର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିବା ଲାଗି ଗୀତାଞ୍ଜଳି ନିବେଦନ କରିଛନ୍ତି। ପୋଲିସ ନାରାୟଣଙ୍କୁ ଏହି ଘଟଣାରେ ଫସାଇ ଦେଇଛି। ପୋଲିସ ଯେଉଁ ସିସିଟିଭି ଫୁଟେଜ ଓ ଅନ୍ୟ ଆଧାରରେ ତାଙ୍କୁ ଗିରଫ କରିଛି ତାହାର ବିଧିବଦ୍ଧ ତଦନ୍ତ କରାଯିବାକୁ ଅଭିଯୋଗପତ୍ରରେ ଦର୍ଶାଯାଇଛି। ଜେଏମ୍‌ଏଫ୍‌ସି ଏହି ମାମଲାକୁ ଗ୍ରହଣ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ଏହି ମାମଲା ପରିଚାଳନା କରୁଛନ୍ତି।
ସୂଚନାଯୋଗ୍ୟ, ଗତ ଜୁଲାଇ ୨୩ରେ ୨୪ଘଣ୍ଟା ମଧ୍ୟରେ ୩ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଦୁଇଟି ଘଟଣା ଓଏମ୍‌ପି ଅଞ୍ଚଳରେ ଘଟିଥିବାବେଳେ ଅନ୍ୟଟି ରାଣୀହାଟ ଅଞ୍ଚଳରେ ଘଟିଥିଲା। ଏହି ମାମଲାର ତଦନ୍ତ କରି କଟକ କମିଶନରେଟ୍‌ ପୋଲିସ ୨୯ରେ ନାରାୟଣଙ୍କୁ ଗିରଫ କରିଥିଲା।

Share