କଟକ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତ୍ତି

କଟକ ଅଫିସ୍‌,୨୬।୬: କଟକ ନଗର ମଣ୍ଡଳ ଅଧୀନ ଡାକଟିକଟ ସଂଗ୍ରହାଳୟର ୭୦ ବର୍ଷ ପୂର୍ତ୍ତି କଟକ ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିରଳ ଡାକଟିକଟ ପ୍ରଦର୍ଶିତ ହୋଇଛି। କଟକ ନଗର ମଣ୍ଡଳ ବରିଷ୍ଠ ଡାକ ଅଧୀକ୍ଷକ ସୁଚିସ୍ମିତା ସ୍ବାଇଁ ସ୍ବାଗତ ଭାଷଣ ଦେଇ ଡାକଟିକଟର ଐତିହ୍ୟ ବିଷୟରେ ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡାକ ପରିମଣ୍ଡଳ ମୁଖ୍ୟ ମହାଡାକପାଳ ଡା ସନ୍ତୋଷ କୁମାର କାମିଳା ମୁଖ୍ୟଅତିଥି ଭାବେ ଯୋଗଦେଇ ଡାକଟିକଟ ସଂଗ୍ରହ ଓ ତା’ର ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ଡାକଟିକଟରେ ଗୋଟିଏ ସମୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବାସ୍ତବତା ପ୍ରତିଫଳିତ ହୋଇଥାଏ ଏବଂ ଡାକଟିକଟ ସଂଗ୍ରହ ମାଧ୍ୟମରେ ଗୋଟିଏ ଜାତିର ଇତିହାସ, ସ୍ମରଣୀୟ ବ୍ୟକ୍ତିତ୍ୱ, ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାବଳୀ, କୃଷି, ଭୂଗୋଳ, ବିଜ୍ଞାନ, କୀର୍ତ୍ତିରାଜି, ସେନାବାହିନୀ ଏବଂ ପରିବହନ ବ୍ୟବସ୍ଥା ବାବଦରେ ଜ୍ଞାନ ଅର୍ଜନ ହୋଇଥାଏ। କମ ବୟସରୁ ଡାକଟିକଟ ସଂଗ୍ରହକୁ ରୁଚି ଭାବରେ ଗ୍ରହଣ କରି ନିଜର ଜ୍ଞାନାର୍ଜନକୁ ସଂପ୍ରସାରିତ କରୁଥିବା ମେଧାବୀ ବିଦ୍ୟାର୍ଥୀମାନଙ୍କ ସୃଜନଶୀଳତାର ବିକାଶ ଘଟାଇବ ବୋଲି ସେ ମତ ଦେଇଥିଲେ। ଡାକବିଭାଗର ବିଭିନ୍ନ ଲୋକାଭିମୁଖୀ ସେବା ମୁଖ୍ୟତଃ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଏକ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଥିଲା। ସର୍ବଭାରତୀୟ ସ୍ତରରେ ଡାକବିଭାଗ ପକ୍ଷରୁ ହୋଇଥିବା ଢାଇ ଅକ୍ଷର ପତ୍ରଲିଖନ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ମଣ୍ଡଳରୁ ଆସିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଓଡ଼ିଶା ଡାକ ନିର୍ଦ୍ଦେଶକ ଜି.ଗୁରୁନାଥନ, କଟକ ଉତ୍ତର ମଣ୍ଡଳ ଡାକ ଅଧୀକ୍ଷକ ଦିଲୀପ କୁମାର ସାମଲ ଓ  ସହକାରୀ ନିର୍ଦ୍ଦେଶକ(ଫିଲାଟେଲି) ଗଜେନ୍ଦ୍ର ପ୍ରସାଦ କର ସଭାରେ ଉପସ୍ଥିତ ଥିଲେ। ବରିଷ୍ଠ ଡାକପାଳ ମହମ୍ମଦ ଏସକେ ନୋମାନ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ, ଡାକଟିକଟ ସଂଗ୍ରହକାରୀଙ୍କୁ ଆକୃଷ୍ଟ କରିବା ପାଇଁ କଟକ ନଗର ମଣ୍ଡଳ ଅଧୀନ ଡାକଟିକଟ ସଂଗ୍ରହାଳୟକୁ ଆଧୁନୀକିକରଣ କରାଯାଇଛି।

Share