Categories: ମେଟ୍ରୋ

କଟକ: ଲିଭିଗଲାଣି ଜେବ୍ରା କ୍ରସିଂ ଚିହ୍ନ

କଟକ ଅଫିସ,୨୬।୭ : ଜନଗହଳିପୂର୍ଣ୍ଣ ଟ୍ରାଫିକରେ ନିରାପଦରେ ଚାଲିଚାଲି ରାସ୍ତା ପାର ହେବା ପାଇଁ ଲୋକମାନଙ୍କ ଲାଗି ଜେବ୍ରା କ୍ରସିଂ ସଙ୍କେତ ରହିଛି। ମାତ୍ର କଟକର କେତେକ ପ୍ରମୁଖ ଟ୍ରାଫିକ ନିକଟ ଜେବ୍ରା କ୍ରସିଂରେ ଟଣାଯାଇଥିବା ଚିହ୍ନ ଲିଭିଗଲାଣି। ଆଉ କିଛି ସ୍ଥାନରେ ଜେବ୍ରା କ୍ରସିଂ ନାହିଁ। ଫଳରେ ଟ୍ରାଫିକ ନିକଟରେ ରାସ୍ତା ପାର ହେବା ପାଇଁ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାସ୍ତାରେ ଜେବ୍ରା କ୍ରସିଂ ଭଳି ସୂଚନା ଦେବାର ଦାୟିତ୍ୱ ପୂର୍ତ୍ତ ବିଭାଗ। ହେଲେ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଚାଳକମାନେ ଟ୍ରାଫିକ ସୂଚନାକୁ ଜାଣିପାରୁ ନାହାନ୍ତି। ଫଳସ୍ବରୂପ ସହରରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଆଉ କିଛି ସ୍ଥାନରେ ଜେବ୍ରା କ୍ରସିଂ ଗାର ସାମାନ୍ୟ ଦେଖାଯାଉଥିଲେ ମଧ୍ୟ ଚାଳକମାନେ ଏହା ଉପରେ ଗାଡ଼ି ରଖୁଛନ୍ତି। ଜେବ୍ରା କ୍ରସିଂ ପୂର୍ବରୁ ଗାଡି ରଖିବା ପାଇଁ ନିୟମ ରହିଥିଲେ ମଧ୍ୟ ଅଧିକାଂଶ ସମୟରେ ଚାଳକମାନେ ଏହାକୁ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି।
ମଙ୍ଗଳାବାଗ ଟ୍ରାଫିକରେ ଜେବ୍ରା କ୍ରସିଂ ଗୋଟେ ପଟେ ସମ୍ପୂର୍ଣ୍ଣ ଲିଭିଯାଇଥିବା ବେଳେ ଅନ୍ୟପଟେ ଅଧିକାଂଶ ଅଂଶ ଲିଭିଯାଇଛି। ବାଦାମବାଡି ଟ୍ରାଫିକର ଦୁଇଟି ପାର୍ଶ୍ୱରେ ଥିବା ଜେବ୍ରା କ୍ରସିଂ ସମ୍ପୂର୍ଣ୍ଣ ଲିଭିଯାଇଛି। ଲିଙ୍କ୍‌ରୋଡ ଟ୍ରାଫିକରେ ଜେବ୍ରା କ୍ରସିଂ ଥିଲେ ମଧ୍ୟ କେହି ନିୟମ ମାନୁନାହାନ୍ତି। ଅନ୍ୟପକ୍ଷରେ ରାଣୀହାଟ, ବିଡାନାସୀ, ସତୀଚଉରା ଟ୍ରାଫିକରେ ଆଦୌ ଜେବ୍ରା କ୍ରସିଂ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ଏମ୍‌.ଆର୍‌.ଖାନ୍‌ କୁହନ୍ତି, ମୁଁ ଏ ସମ୍ପର୍କରେ ଆପଣଙ୍କ ଠାରୁ ଜାଣିବାକୁ ପାଇଲି। ଯେଉଁ ଟ୍ରାଫିକରେ ଜେବ୍ରା କ୍ରସିଂ ନାହିଁ ଅବା ରଙ୍ଗ ଛାଡିଯାଇଛି, ସେ ସବୁ କାର୍ଯ୍ୟ ଯଥାଶୀଘ୍ର କରାଯିବ।

Share