କଟକ ଶିଶୁଭବନରେ ନବଜାତକଙ୍କୁ ଚିକିତ୍ସାରେ ଅବହେଳା: ବାପାଙ୍କ ଫେସ୍‌ବୁକ ପୋଷ୍ଟ ପରେ ସ୍ଥିତି ବଦଳିଲା

କଟକ ଅଫିସ,୩୦ା୬: ପୁଣି ଚର୍ଚ୍ଚାର ପରିସରକୁ ଆସିଛି କଟକ ଶିଶୁଭବନ। ୨ଦିନ ତଳେ ଜନ୍ମ ହୋଇଥିବା ଏକ ନବଜାତ ଶିଶୁପୁତ୍ରଙ୍କ ଚିକିତ୍ସାରେ ଅବହେଳା କରାଯାଉଥିଲା। ଡାକ୍ତର, କର୍ମଚାରୀଙ୍କୁ ଯେତେ ଗୁହାରି କଲେ ମଧ୍ୟ କେହି କିଛି ଶୁଣି ନ ଥିଲେ। ଶେଷରେ ଶିଶୁଙ୍କ ବାପା ଅସହାୟ ହୋଇ ନିଜ ଫେସବୁକ ଟାଇମ୍‌ଲାଇନରେ ବିକଳ ହୋଇ ଶିଶୁଭବନର ଚିକିତ୍ସା ବ୍ୟବସ୍ଥା ଉପରେ ଲେଖିଥିଲେ। ଏହାପରେ ଉକ୍ତ ପୋଷ୍ଟଟି ସୋସିଆଲ ମିଡିଆରେ ଶୁକ୍ରବାର ରାତିରୁ ଭାଇରାଲ ହୋଇଥିଲା। ସରକାର ଓ ପ୍ରଶାସନ ତତ୍ପର ହୋଇ ଉଠିଥିଲେ। ଉକ୍ତ ପୋଷ୍ଟ ପାଇବା ପରେ କେନ୍ଦ୍ରାପଡା ଏମପି ଅନୁଭବ ମହାନ୍ତି ଶନିବାର ଶିଶୁଭବନରେ ପହଞ୍ଚିଥିଲେ। ଚିକିତ୍ସିତ ହେଉଥିବା ଶିଶୁଙ୍କୁ ଆଇସିୟୁରେ ଦେଖିବା ସହିତ ତାଙ୍କ ମା’, ବାପା ଓ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ। ଶିଶୁଙ୍କ ଚିକିତ୍ସା ବାବଦୀୟ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଏମପି ପ୍ରତିଶ୍ରୁତି ଦେଇଥିଲେ। ଏହାବାଦ୍‌ ଶିଶୁଙ୍କ ଚିକିତ୍ସା ପାଇଁ ଶିଶୁଭବନ ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିବା ମେଡିକାଲ ପ୍ରଶାସନିକ ଅଧିକାରୀ ଲିଙ୍ଗରାଜ ବେହେରା କହିଛନ୍ତି।

ସୂଚନାଥାଉକି, କମିଶନରେଟ ପୋଲିସର ୭ମ ବଟାଲିୟନରେ କାର୍ଯ୍ୟ କରୁଥିବା ଦେବାଶିଷ କରଙ୍କ ଏହି ନବଜାତ ଶିଶୁଙ୍କୁ ନେଇ ଘଟିଛି ଏଭଳି ଘଟଣା। ଜନ୍ମ ହେବା ପରେ ଶିଶୁଙ୍କ ପେଟରେ ସମସ୍ୟା ଦେଖାଦେଇଥିଲା। ଦେବାଶିଷ ୨ଦିନ ତଳେ ପୁଅଙ୍କୁ ଶିଶୁଭବନରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାରେ ଅବହେଳା କରାଯାଇଥିବାରୁ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଜଟିଳ ଆଡକୁ ଗତି କରିଥିଲା। ଫଳରେ ଦେବାଶିଷ ବିକଳ ହୋଇ ପୁଅଙ୍କ ପ୍ରାଣ ରକ୍ଷାକରିବାକୁ ସୋସିଆଲ ମିଡିଆର ସହାୟତା ନେଇଥିଲେ। ଶିଶୁଭବନ ଶିଶୁଶଲ୍ୟ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା. ପି.କେ. ଜେନାଙ୍କ କହିବାନୁଯାୟୀ, ଶିଶୁଙ୍କ ପେଟରେ ଅନ୍ତନଳୀ ଉପରେ ଚମଡା ଓ ମାଂସପେଶୀ ପ୍ରସ୍ତୁତ ହୋଇନାହିଁ। ଏହାକୁ ଡାକ୍ତରୀ ଭାଷାରେ ଓମଫାଲୋସିଲ କୁହାଯାଏ। ଏହି ରୋଗରେ ୨ଦିନର ଶିଶୁଙ୍କ କ୍ଷେତ୍ରରେ ଅପରେଶନ ସମ୍ଭବ ନୁହେଁ। ପିଲା ପାଟି ବାଟେ ଖାଇବା ପରେ ଅର୍ଥାତ୍‌ ଅତିକମ୍‌ରେ ତାଙ୍କୁ ଦେଢବର୍ଷ କିମ୍ବା ୨ବର୍ଷ ବୟସ ହେବା ପରେ ଅପରେଶନ କରାଯିବ। ଏବେ ଉକ୍ତ ଶିଶୁଙ୍କୁ ନିଓନାଟାଲ ଇଣ୍ଟେନ୍‌ସିଭ କେୟାର ୟୁନିଟ (ନିକୁ)ରେ ରଖି ଚିକିତ୍ସା କରାଯାଉଛି।
ସୂଚନାଥାଉକି, କେବଳ ଦେବାଶିଷ ନୁହନ୍ତି, ଅନେକ ରୋଗୀ ଶିଶୁଭବନକୁ ଆସି ଏଭଳି ହୀନସ୍ତାର ଶିକାର ହେଉଛନ୍ତି। ୨୦୧୫ରେ ଶିଶୁମୃତ୍ୟୁକୁ ନେଇ ଶିଶୁଭବନ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହାପରେ ମଧ୍ୟ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସି ନ ଥିବା ରୋଗୀ ସମ୍ପର୍କୀୟମାନେ କହିଛନ୍ତି।

Share